Odisha Link
Bridging the Missing Links in Odisha

କ୍ଷେତ୍ରକୁ ଓହ୍ଲାଇଲେ ଟି.ଜି.ସ୍ୱୀକୃତି ଗ୍ରୁପ୍‌

ଭୁବନେଶ୍ୱର : ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌.ଏଚ୍‌.ଜି ଗ୍ରୁପ୍‌କୁ ଏକ ବୁଝାମଣା ପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଉକ୍ତ ଗ୍ରୁପ୍‌ର କ୍ଷେତ୍ର କାର୍ଯ୍ୟର ଶୁଭାରମ୍ଭ ହୋଇଛି ।

ଭୁବନେଶ୍ୱର ମହାନଗର ନିଗମ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମ ଦ୍ୱାରା ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧନ ହେବ ।

ପ୍ରଥମଟି ହେଲା, ସାମାଜିକ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୃଢ କରିବା  ଦ୍ୱିତୀୟଟି ହେଲା, ବି.ଏମ୍‌.ସି. ର ବକେୟା ଟ୍ୟାକ୍ସ ଆଦାୟକୁ ବଢାଇବା ଯାହା ମହାନଗର ନିଗମର ବିକାଶକୁ ତ୍ୱରାନ୍ୱିତ କରିବ । ଏହି ଅବସରରେ ଟି.ଜି. ସ୍ୱୀକୃତି ଗ୍ରୁପ୍‌ର ୟୁନିଫର୍ମ ଧାରୀ ଦଶ ଜଣ ସଦସ୍ୟାଙ୍କୁ ପରିଚୟ ପତ୍ର ପିନ୍ଧାଇଥିଲେ କମିଶନର ପ୍ରେମଚନ୍ଦ୍ର ଚୌଧରୀ, ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍‌, ଅବନିକାନ୍ତ ପଟ୍ଟନାୟକ ଏବଂ ଡ଼େପୁଟି କମିଶନର ମିଶ୍ର ।

ଏହାପରେ ସମ୍ପୃକ୍ତ ଗ୍ରୁପ୍ ନିଜ ନିଜର ନାରା ବା ଶ୍ଳୋଗାନ୍ “ଟ୍ୟାକ୍ସ ଦିଜିଏ ଦୁଆ ଲିଜିଏ” କହିଥିଲେ । ଟି.ଜି. ସ୍ୱୀକୃତି ଗ୍ରୁପ୍‌ର ସଭାପତି ମେଘନା ସାହୁ କହିଛନ୍ତି ଯେ, ଆଜିର ଦୁନିଆରେ କିନ୍ନର ମାନଙ୍କୁ ଅନେକ କ୍ଷେତ୍ରରେ ହତାଦର କରାଯିବା ଏବଂ ସେମାନଙ୍କୁ ଉପଯୁକ୍ତ ରୋଜଗାର ପନ୍ଥା ନମିଳୁଥିବା ବେଳେ ବି.ଏମ୍‌.ସି. ପକ୍ଷରୁ ଏପରି ସୁଯୋଗ ଆମପାଇଁ ଆର୍ଥିକ ମାନଦଣ୍ଡ ଦୃଢ କରିବାର ଏକ ସୁପନ୍ଥା ଭାବେ ଆମେ ଏହାକୁ ଆଦରିଛୁ ।

ଆମ ଗ୍ରୁପ୍‌ର ସମସ୍ତ ସଦସ୍ୟା ବି.ଏମ୍‌.ସି. ର ଏହି ଆଭିମୁଖ୍ୟ ପୂରଣ କରିବାକୁ ସର୍ବାଦଉ ଚେଷ୍ଟା କରିବୁ ଯାହା ଉଭୟଙ୍କ ପାଇଁ ମଙ୍ଗଳକର ହେବ । ଏହା ପରେପରେ ସେମାନେ ସ୍ଥାନୀୟ ସହିଦନଗରକୁ ଯାଇ ବକେୟା ଥିବା ଚାରୋଟି ମାଲିକଙ୍କୁ ଭେଟିଥିଲେ ଏବଂ ଦୁଇ ଜଣ ମାଲିକଙ୍କ ଠାରୁ ବକେୟା ରାଶି ୬୬,୨୬୪/ଟଙ୍କା ଆଦାୟ କରିଥିଲେ ।

ତେବେ ବି.ଏମ୍‌.ସି. ର ବକେୟା ରାଶି ଆଜି ଦିନରେ ୧୧ କୋଟିରୁ ଅଧିକ ରହିଥିବା ବେଳେ ଏହାକୁ ଆଦାୟ କରିବାକୁ ଅଂଟା ଭିଡ଼ିଛନ୍ତି ଉକ୍ତ ଗ୍ରୁପ୍ । ବୁଝାମଣା ପତ୍ର ଅନୁଯାୟୀ ଅଧିକରୁ ଅଧିକ ଆଦାୟ କରିପାରିଲେ ନିର୍ଦ୍ଧାରିତ ସ୍ଲାବ୍ ଅନୁସାରେ ଏହି ଗ୍ରୁପ୍‌କୁ ଅଧିକ ପ୍ରୋତ୍ସାହନ ରାଶି ମିଳିପାରିବ ।