Odisha Link
Bridging the Missing Links in Odisha

ଆପ୍‌ ୫୮ ଆସନରେ ଆଗୁଆ ଥିବାବେଳେ ମନୀଷ ସିଶୋଦିଆ ପଛରେ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ୍‌ ସୁଦ୍ଧା ଆମ୍‌ ଆଦ୍‌ମୀ ପାର୍ଟି ୫୮ ଆସନରେ ଆଗୁଆ ଥିବାବେଳେ ମନୀଷ ସିଶୋଦିଆ ପତପରଗଞ୍ଜ ଆସନରେ ପଛୁଆ ରହିଛନ୍ତି। ମନୀଷ ସିଶୋଦିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ରବୀନ୍ଦ୍ର କୁମାର ନେଗୀଙ୍କ ଠାରୁ ପ୍ରାୟ ୧୫୦୦ ଭୋଟରେ ପଛୁଆ ଅଛନ୍ତି। ତୃତୀୟ ଥର ଆମ୍‌ ଆଦ୍‌ମୀ ପାର୍ଟି ସରକାର ଗଠନ କରିବ ବୋଲି ସ୍ପଷ୍ଟ ଜଣାପଡୁଥିବା ବେଳେ ମନୀଷ ସିଶୋଦିଆଙ୍କ ପ୍ରଦର୍ଶନ କେଜ୍ରିୱାଲ ଏବଂ ଆମ୍‌ ଆଦ୍‌ମୀ ପାର୍ଟିକୁ ଝଟ୍‌କା ଦେବ ବୋଲି ଆଲୋଚନା ହେଉଛି।

ଏଥିସହ ଆପ୍‌ର ଅନ୍ୟ କିଛି ନେତା ମଧ୍ୟ ପଛରେ ରହିଛନ୍ତି। ସକୁର ବସ୍ତି ଆସନରେ ଆପ୍‌ ପ୍ରାର୍ଥୀ ସତ୍ୟେନ୍ଦ୍ର ଜୈନ, କଲକାଜି ଆସନରେ ଆପ୍‌ର ଅତିଶି ଏବଂ ଶାହିନବାଗ ଅଞ୍ଚଳ ଆସୁଥିବା ଓଖଲା ଆସନରେ ଆପ୍‌ ପ୍ରାର୍ଥୀ ଅମାନତୁଲ୍ଲା ନିକଟତମ ପ୍ରତିଦ୍ବନ୍ଦ୍ବୀମାନଙ୍କଠାରୁ ପଛୁଆ ଅଛନ୍ତି। ସେହିପରି ଆପ୍‌ ଛାଡ଼ି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରା ମଡେଲ ଟାଉନ ଆସନରେ ଏବଂ କଂଗ୍ରେସରେ ଯୋଗଦେଇଥିବା ଅଳକା ଲାମ୍ବା ଚାନ୍ଦନୀଚୌକ ଆସନରେ ପଛରେ ପଡ଼ିଛନ୍ତି।

Comments are closed.