Odisha Link
Bridging the Missing Links in Odisha

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ, ଜୁନ୍‌ ଏବଂ ନଭେମ୍ବରରେ ରାଜ୍ୟସଭାରେ ମୋଟ୍‌ ୬୯ଟି ଆସନ ଖାଲି ହେବ। ହେଲେ ୫୧ରୁ ଅଧିକ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେବାକୁ ଯାଉଛି। ସେହି ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ରାଜ୍ୟସଭାର ଉପାଧ୍ୟକ୍ଷ ସାଭା ହରିବଂଶ, ଏନ୍‌ସିପି ନେତା ଶରଦ ପାଓ୍ବାର ଏବଂ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଥାଓ୍ବଲେ ରହିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, କଂଗ୍ରେସର ଖାଲି ହେବାକୁଥିବା ୧୯ଟି ଆସନରୁ ଏହି ଦଳ ୯ଟି ଆସନ ହରାଇବ। ତେବେ ଚର୍ଚ୍ଚା ହେଉଛି ଚଳିତ ନିର୍ବାଚନରେ କଂଗ୍ରେସର ବହୁ ବଡ଼ ନେତା ରାଜ୍ୟସଭା ଯିବେ। ଏମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜ୍ୟତିରାଦିତ୍ୟ ସିନ୍ଧିଆ ଏବଂ ରଣଦୀପ ସୂର୍ଯ୍ୟାୱାଲା ଆଦି ସଂସଦର ଉଚ୍ଚ ସଦନକୁ ଯିବା ନେଇ ଚର୍ଚ୍ଚା ଯୋର ଧରିଛି।

କଂଗ୍ରେସ ଯୋଜନା କରିଛି ୯ଟି ଆସନରେ ଏହି ଦଳର ବିଜୟ ସୁନିଶ୍ଚିତ। ଏହି ଦଳ ବାକି ଗୋଟିଏ ବା ୨ଟି ଆସନ ମେଣ୍ଟ ଦଳଙ୍କ ସହଯୋଗରେ ଜିତିବାକୁ ଚେଷ୍ଟା କରିବ। ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ମହାରାଷ୍ଟ୍ରରେ କଂଗ୍ରେସକୁ ସାମାନ୍ୟ ଫାଇଦା ହେବାର ଅଛି। ତେବେ ବହୁତ ନେତା ଲୋକସଭା ନିର୍ବାଚନରେ ହାରିଥିବାରୁ ସେମାନେ ରାଜ୍ୟସଭା ଟିକେଟ୍‌ ପାଇଁ ଆଶାୟୀ ରହିବେ।

ତେବେ ୨୦୨୦ରେ ୬୯ଟି ଖାଲିଥିବା ଆସନ ପୂରଣ ପାଇଁ ହେବାକୁ ଥିବା ନିର୍ବାଚନରେ ବିରୋଧୀ ନିଜର ଦବ୍‌ଦବା ହରାଇବେ। ଏହା ଶାସକ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ସହାୟକ ହେବା ନେଇ ଚର୍ଚ୍ଚା ଯୋର ଧରିଛି। ବର୍ତ୍ତମାନ ସୁଦ୍ଧା ସଂସଦର ଉଚ୍ଚ ସଦନ କୁହାଯାଉଥିବା ରାଜ୍ୟସଭାରେ ସାମାନ୍ୟ ଦୁର୍ବଳ ଥିବା ଶାସକ ଏନ୍‌ଡିଏ କୌଣସି ବିଲ୍‌ ପାରିତ କରିବାରେ ସମସ୍ୟା ଭୋଗିବନି। ବର୍ତ୍ତମାନ ମେଣ୍ଟରେ ନଥିବା ବିଜେଡି ଏବଂ ଏଆଇଡିଏମ୍‌କେ ଆଦି ଦଳ ବିଜେପି ପାଇଁ ରାଜ୍ୟସଭାରେ ସହାୟକ ହୋଇ ଆସୁଛନ୍ତି।

ମହାରାଷ୍ଟ୍ରର ୭ ଏବଂ ତାମିଲନାଡୁର ୬ ଜଣ ଏମ୍‌ପି ଅବସର ନେବେ। ସେହିପରି ବିହାର ଏବଂ ପଶ୍ଚିମବଙ୍ଗର ୫ରୁ ଅଧିକ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ସମାପ୍ତ ହେଉଛି। ଅପରପକ୍ଷରେ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶର ୪ ଲେଖାଏଁ ଏମ୍‌ପି, ରାଜସ୍ତାନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ୩ ଜଣ ଲେଖାଏଁ ଏମ୍‌ପି ଅବସର ନେବେ। ସେହିପରି ତେଲେଙ୍ଗାନାର ୨, ଝାଡ଼ଖଣ୍ଡର ୨ ଏବଂ ଛତିଶଗଡ଼ର ୨ ଜଣ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ହିମାଚଳପ୍ରଦେଶ, ହରିୟାଣା, ଆସାମ, ମେଘାଳୟ ଏବଂ ମଣିପୁରର ଜଣେ ଲେଖାଏଁ ଏମ୍‌ପିଙ୍କ କାର୍ଯ୍ୟକାଳ ଶେଷ ହେଉଛି।

ମୋଟ ୬୯ ଜଣଙ୍କ କାର୍ଯ୍ୟକାଳ ଶେଷ ହେଉଥିବାବେଳେ ୫୧ ଜଣ ପୁଣି ନିର୍ବାଚିତ ହେବେ ବୋଲି କୁହାଯାଉଛି। ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୪୫। ଏହାରି ମଧ୍ୟରୁ ୨୩୩ ଜଣ ସଦସ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ରାଜ୍ୟସଭାକୁ ଆସିଥାନ୍ତି। ଆଉ ଅବଶିଷ୍ଟ ୧୨ ଜଣଙ୍କୁ ମହାମହିମ ମନୋନୀତ କରିଥାନ୍ତି।

Comments are closed.