ସମ୍ପତ୍ତି ପାଇଁ ପଡ଼ି ରହିଲା ମହିଳାଙ୍କ ଶବ

ବ୍ରହ୍ମପୁର: ସମ୍ପତ୍ତି ପାଇଁ ୫ ଘଣ୍ଟା ପଡ଼ି ରହିଲା ମା’ଙ୍କ ଶବ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡ଼ବଜାର ଥାନା ଶ୍ରୀରାମ ନଗରରେ। ମା ସୂର୍ଯ୍ୟମଣି ସାହୁଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶବ ସତ୍କାର କଣ ହେବ ଆରମ୍ଭ ହୋଇଥିଲା କଳି। ସୂର୍ଯ୍ୟମଣିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ୱାମୀ ଓ ପୁଅର ମୃତ୍ୟୁ ହୋଇସାରିଛି। ତେଣୁ ସୂର୍ଯ୍ୟମଣି ୪ ଝିଅଙ୍କ ଭରସାରେ ବାକି ଜୀବନ କାଟିବେ ବୋଲି ସେ ଆଶା ରଖିଥିଲେ। କିନ୍ତୁ ଝିଅମାନଙ୍କ ନଜର କୋଟି କୋଟି ଟଙ୍କାର ସମ୍ପତ୍ତି ଉପରେ ଥିଲା। ସମ୍ପତ୍ତି ପାଇଁ ସେମାନଙ୍କ ମଧ୍ୟରେ କଳି ଲାଗି ରହିଥିଲା।
ସୂର୍ଯ୍ୟମଣି ଶ୍ରୀରାମନଗରରେ ଏକୁଟିଆ ରହୁଥିବା ବେଳେ ତାଙ୍କ ବଡ଼ ଝିଅ ନିଜ ପରିବାର ସହ ଆସି ସେଠାରେ ରହିଥିଲେ। ଏହାପରେ ସେ ଉକ୍ତ ଘରକୁ ନିଜ କବଜାକୁ ନେଇ ଯାଇଥିଲେ। ବାର୍ଦ୍ଧକ୍ୟଜନିତ ରୋଗ ହେତୁ ସୂର୍ଯ୍ୟମଣି ଦୀର୍ଘଦିନ ହେଲା ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କର ପରଲୋକ ହୋଇଥିଲା। ଗତକାଲି ସନ୍ଧ୍ୟା ୫ଟାରେ ତାଙ୍କ ମୃତଦେହ ଘର ସମ୍ମୁଖରେ ପହଞ୍ଚିଥିଲା। କିନ୍ତୁ ଘରେ ଥିବା ବଡ଼ ଝିଅ ଭିତରୁ ତାଲା ପକାଇ ଦେଇଥିବା ବେଳେ ଶବ ଦାଣ୍ଡରେ ପଡ଼ି ରହିଥିଲା।
ଶବ ଦାଣ୍ଡରେ ପଡ଼ିଥିବା ଦେଖି ଲୋକଙ୍କ ଗହଳି ବଢ଼ିବାରେ ଲାଗିଥିଲା। ସୂର୍ଯ୍ୟମଣିଙ୍କ ଅନ୍ୟ ୩ ଝିଅ ପହଞ୍ଚି ଗେଟ୍ ବାହାର ପଟୁ ଦୁଇ ତିନୋଟି ତାଲା ପକାଇ ଦେଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ସମ୍ପତ୍ତି ପାଇଁ ଆରମ୍ଭ ହୋଇଗଲା କଳି ଝଗଡ଼ା। ସମ୍ପତ୍ତି ଭାଗ ନ ହେବା ପର୍ଯ୍ୟନ୍ତ ମୃତଦେହ ଉଠାଇ ଦେବେ ନାହିଁ ବୋଲି ଖୋଦ ଝିଅମାନେ ଜିଦ୍ ଧରିଲେ। ଏ ନେଇ ଖବର ପାଇ ପୁଲିସ୍ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିଥିଲା। ଘର ଭିତରୁ ବଡ଼ ଝିଅ ବାହାରିବା ପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ରାତି ପ୍ରାୟ ୧୦ଟା ପରେ ଶବ ସତ୍କାର ହୋଇଥିଲା।