Odisha Link
Bridging the Missing Links in Odisha

ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

କୋଣାର୍କ: ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଆଡମିଟ୍‌ କାର୍ଡ ନ ଦେବାରୁ ଜଣେ ଛାତ୍ର ଏହି ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି। ଏ ନେଇ ରାମଚଣ୍ଡୀ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଥାନା ଅନ୍ତର୍ଗତ ବାବା ବାଲି କପିଳେଶ୍ୱର ସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ଫର୍ମ ଫିଲପ୍‌ କରିଥିଲେ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଗୋପ ବ୍ଲକ ଶ୍ରୀବାଲିକପିଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମୁଦାୟ ୧୨୯ ଛାତ୍ରୀଛାତ୍ର ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ୩ଟି ପର୍ଯ୍ୟାୟରେ ୧୧୮ ଛାତ୍ରୀଛାତ୍ର ଫର୍ମ ଫିଲପ କରିଥିବା ବେଳେ ୧୧ ଜଣ ଫର୍ମ ଫିଲପ କରି ନ ଥିଲେ। ଅଭିଯୋଗ ଅନୁସାରେ, ଫର୍ମ ଫିଲପ କରି ନ ଥିବା ୧୧ ପିଲାଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ବେହେରା ରହିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ସୌମ୍ୟ କୁହନ୍ତି, ସେ ମାସକ ପୂର୍ବରୁ ଫର୍ମ ଫିଲପ ପାଇଁ ସ୍କୁଲରେ ଟଙ୍କା ଦେଇଥିଲେ। ହେଲେ ଗତ ୧୫ ତାରିଖରେ ସ୍କୁଲକୁ ଆଡ୍‌ମିଟ୍‌ କାର୍ଡ ଆଣିବାକୁ ଯିବାରୁ ସେ ଫର୍ମ ଫିଲପ କରି ନ ଥିବାରୁ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏପରି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପିତା। ଏନେଇ ରାମଚଣ୍ଡୀ ଥାନାରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଛି। ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସୌମ୍ୟଙ୍କ ପିତା ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସ୍କୁଲ ଶିକ୍ଷକ ଓ ପ୍ରଧାନ ଶିକ୍ଷକ କହିଛନ୍ତି। ଏତଲା ପାଇବା ପରେ ରାମଚଣ୍ଡୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାମଚଣ୍ଡୀ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.