Odisha Link
Bridging the Missing Links in Odisha

ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ତାମିଲ ଭାଷା

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଲାଗିଛି ତାମିଲ ଭାଷାରେ ସୂଚନା ଫଳକ। ଗୋଟିଏ ସ୍ଥାନରେ ନୁହେଁ ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାରେ ଲିଖିତ ସୂଚନା ଫଳକରେ ଇଂରାଜୀ, ହିନ୍ଦୀ ଭାଷା ସାଙ୍ଗକୁ ତାମିଲ ଭାଷା ମଧ୍ୟ ଦେଖିବାକୁ ମିଳିଛି।

ଭୁବନେଶ୍ବର ୟୁନିଟ୍‌ ୯ରେ ନିର୍ମାଣ ଚାଲିଛି ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମହାନଗର ନିଗମ (BMC) ତଥା ଇଣ୍ଟେଲିଜେଣ୍ଟ୍‌ ସିଟି ଅପରେସନ୍‌ସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର(ICOMC)ର ନୂତନ କାର୍ଯ୍ୟାଳୟ। ଏହି ୧୧ ମହଲା ବିଶିଷ୍ଟ ଅତ୍ୟାଧୁନିକ ଅଟ୍ଟାଳିକାର ବେସ୍‌ମେଣ୍ଟ ସହ ତିନି ମହଲାର ନିର୍ମାଣ କାର୍ଯ୍ୟ ପ୍ରାୟ ସରିଲାଣି। ତେବେ ଏହି ନିର୍ମାଣ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ସୂଚନା ଲାଗି ସ୍ଥାପିତ ଫଳକରେ ଚାରିଗୋଟି ଭାଷାରେ ଉଲ୍ଲେଖ ରହିଛି। ସର୍ବାଗ୍ରେ ଓଡ଼ିଆ ଭାଷାରେ ଲେଖା ରହିଥିବା ବେଳେ ତା ତଳକୁ ଇଂରାଜୀ, ହିନ୍ଦୀ ଓ ଶେଷକୁ ତାମିଲ ଭାଷାରେ ସୂଚନା ରହିଛି।

ଓଡ଼ିଶାର ରାଜଧାନୀରେ ଓଡ଼ିଆ ଭିନ୍ନ ଅନ୍ୟ ଭାଷା ରହିବା, ତାହା ପୁଣି ଏକ ଦକ୍ଷିଣୀ ଭାଷା, ସେହି ବାଟ ଦେଇ ଯାଉଥିବା ଅନେକଙ୍କୁ ଦ୍ବନ୍ଦ୍ବରେ ପକାଇଛି। ତେବେ ବିଏମ୍‌ସି କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ତାମିଲ କର୍ମଚାରୀ ନିୟୋଜିତ ଥିବାରୁ ସେମାନଙ୍କ ସୂଚନା ପାଇଁ ତାମିଲ ଭାଷାରେ ଉଲ୍ଲେଖ ଥିବା ଜଣେ କର୍ମଚାରୀ ଆମକୁ ସୂଚନା ଦେଇଛନ୍ତି। ପାଖ ଦୋକାନରେ ତାମିଲ ଭାଷାଭାଷୀ କର୍ମଚାରୀମାନଙ୍କୁ କିଣାକିଣି କରୁଥିବା ଦେଖିବାକୁ ମିଳିଛି। ତେବେ ଏତେ ଦୂରରୁ ଆସି ଓଡ଼ିଶାରେ କାହିଁକି ତାମିଲ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(BSCL) ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟରେ ଇଜିଆଇଏମ୍‌ ଇଣ୍ଡିଆ (EGIS India) ନାମକ ଗୁରୁଗ୍ରାମ ସ୍ଥିତ ଏକ ସଂସ୍ଥାକୁ ପ୍ରୋଗ୍ରାମ୍‌ ମ୍ୟାନେଜ୍‌ମେଣ୍ଟ୍‌ କନ୍ସୁଲଟାଣ୍ଟ୍‌ (PMC) ଭାବେ ନିୟୋଜିତ କରାଯାଇଛି। ତାମିଲନାଡ଼ୁର ଇରୋଡ୍‌ରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଓ ଚେନ୍ନାଇର ଯୋଗାଯୋଗ ଠିକଣା ଥିବା ୟୁଆର୍‌ସି କନଷ୍ଟ୍ରକ୍ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (UCR Constructions Pvt Ltd) ନାମକ ଅନ୍ୟ ଏକ ସଂସ୍ଥା ଏହି ସୌଧର ନିର୍ମାଣ ଦାୟିତ୍ବ ନେଇଛି। ନିର୍ମାଣ କମ୍ପାନି ତାମିଲନାଡ଼ୁର ଓ ଏଠାରେ ନିୟୋଜିତ ବହୁ କର୍ମଚାରୀ / ଶ୍ରମିକ ତାମିଲନାଡ଼ୁର ହୋଇଥିବାରୁ ସେମାନଙ୍କ ବୁଝିବା ଲାଗି ତାମିଲ ଭାଷାର ବ୍ୟବହାର ହୋଇଥିବା ଜଣାପଡ଼ିଛି।

Comments are closed.