ଆଇସିସି ମହିଳା ଟି-୨୦ ବିଶ୍ୱକପ୍: ଟିମ୍ ଇଣ୍ଡିଆର ୨ୟ ବିଜୟ

ପର୍ଥ: ଭାରତ ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ତା’ର ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା ଟିମ୍ ଚମତ୍କାର ବିଜୟ ଲାଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା।
ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୪ ରନ୍ କରି ପରାସ୍ତ ହୋଇଛି। ବୋଲିଂରେ ପୁନମ ଯାଦବ ଓ ଶିଖା ପାଣ୍ଡେ ପୁଣିଥରେ କମାଲ୍ କରିଛନ୍ତି। ବ୍ୟାଟିଂରେ ମାତ୍ର ୧୭ ବଲରେ ୨ ଚୌକା ଓ ୪ ଛକା ସହାୟତାରେ ଦ୍ରୁତ ୩୯ ରନ୍ କରିଥିବା ଶେଫାଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ଭାରତ ଗ୍ରୁପ୍-ଏ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।
୧୪୩ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଏକ ସମୟରେ ୬୧ ରନରେ ୨ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା। କିନ୍ତୁ ଏହା ପରେ ଭାରତୀୟ ସ୍ପିନର ପୁନମ୍ ଲଗାତର ୱିକେଟ୍ ନେଇ ବାଂଲାଦେଶ ରନରେ ଅଙ୍କୁଶ ଲଗାଇଥିଲେ। ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା ସର୍ବାଧିକ ୩୫ ରନ୍ କରିଥିବା ବେଳେ ମୁର୍ଶିଦା ଖାତୁନ୍ ୩୦, ଫାହିମା ଖାତୁନ୍ ୧୭, ରୁମାନା ଅହମ୍ମଦ ୧୩, ସଞ୍ଜିଦା ଇସଲାମ୍ ୧୦ ଓ ଜାହାନାରା ଆଲମ୍ ୧୦ ରନ୍ କରିଥିଲେ। ଭାରତର ସଫଳ ବୋଲର ଭାବେ ପୁନମ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ଓ ଅରୁନ୍ଧତୀ ରେଡ୍ଡୀ ୨ଟି ଲେଖାଏ ୱିକେଟ୍ ପାଇଥିଲେ।