ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରେସ୍ମିଟ୍ କରି କହିଛନ୍ତି ଯେ, ଦିଲ୍ଲୀ ହିଂସାକାଣ୍ଡ ଏକ ଯୋଜନା ବଦ୍ଧ ଷଡଯନ୍ତ୍ର ଥିଲା। ଏହି ହିଂସାକାଣ୍ଡ ପଛରେ ବିଜେପିର ହାତ ରହିଛି। ବିଜେପି ଭୟ ଓ ଘୃଣାର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି। ଦିଲ୍ଲୀରେ ଏଭଳି ସ୍ଥିତି ପାଇଁ ଗୃହମନ୍ତ୍ରୀ ଦାୟୀ।
ଏଥିସହ ସୋନିଆ କହିଛନ୍ତି, ଦିଲ୍ଲୀ ଜଳୁଥିବା ବେଳେ ଦେଶର ଗୃହମନ୍ତ୍ରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହି ହିଂସାକାଣ୍ଡରେ ଗୁଇନ୍ଦା ବିଭାଗ ରିପୋର୍ଟ କଣ ଥିଲା ଏବଂ କି ପଦକ୍ଷେପ ନିଆଯାଇଥିଲା ବୋଲି ସୋନିଆ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ପୁଲିସ୍ କିଛି ଦିନ ହେଲା ଚୁପ ରହିବାରୁ ୨୦ ଜଣଙ୍କ ଲୋକଙ୍କ ଜୀବନ ଗଲାଣି। ଜଣେ ପୁଲିସ୍ କନଷ୍ଟେବଲଙ୍କର ମଧ୍ୟ ମୃତ୍ୟୁ ହୋଇଛି। ୭୨ ଘଣ୍ଟା ହେଲାଣି ଦିଲ୍ଲୀ ପୁଲିସ୍ ପଙ୍ଗୁ ପାଲଟି ଯାଇଛି। ୨୦ ଜଣଙ୍କ ଜୀବନ ଗଲା ପରେ ବି ପୁଲିସ୍ ଚୁପ। ଏବେ ବି ଦିଲ୍ଲୀ ରାସ୍ତାରେ ନିଆଁ ଜଳୁଛି। ହେଲେ ପୁଲିସ୍ କେବଳ ନୀରବତା ଅବଲମ୍ବନ କରୁଛି।