Odisha Link
Bridging the Missing Links in Odisha

ବିଧାନସଭା: ସରିଲା ପ୍ରଥମ ପର୍ଯ୍ୟାୟ ଅଧିବେଶନ

ଭୁବନେଶ୍ବର: ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଗତକାଲି ଶେଷ ହୋଇଛି। ଚଳିତମାସ ୧୪ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚଳିତ ବଜେଟ୍ ଅଧିବେଶନକୁ ଆସନ୍ତା ମାର୍ଚ୍ଚ ୧୧ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ, ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ, ଓବିସି ସର୍ଭେ ପାଇଁ ବିଲ୍ ଓ ସଂକଳ୍ପ ପାରିତ ଏବଂ ବଜେଟ୍ ଉପରେ ସାଧାରଣ ଆଲୋଚନା ହୋଇଥିଲା। ତେବେ ଚାଷୀଙ୍କଠୁ ଧାନକିଣା ପ୍ରସଙ୍ଗ, ବେକାରୀ ସମସ୍ୟା ଆଦିକୁ ନେଇ ଗୃହରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଯୋଗୁ ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

ବିଧାନସଭା ସଚିବାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଫେବୃୟାରୀ ୧୪ରୁ ୨୬ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବଧି ମଧ୍ୟରେ ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ, ୧୭ତାରିଖରେ ରାଜ୍ୟରେ ଓବିସି ସର୍ଭେ ପାଇଁ ବିଲ୍ ଓ ସଂକଳ୍ପ ଗୃହୀତ, ୧୮ତାରିଖରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍ ଆଗତ ହୋଇଥିଲା। ବଜେଟ୍ ଉପରେ ୨ଦିନ ଧରି ଆଲୋଚନା ପରେ ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସରକାରଙ୍କ ପକ୍ଷ ରଖିଥିଲେ।

ସୂଚନାଯୋଗ୍ୟ, ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।

Comments are closed.