Odisha Link
Bridging the Missing Links in Odisha

ବଢ଼ୁଛି ମୁଣ୍ଡପିଛା ଋଣଭାର, ମୁଖ୍ୟମନ୍ତ୍ରୀଙ୍କୁ ୧୮,୫୦୦ ଟଙ୍କା ପଠାଇଲେ ବରିଷ୍ଠ ଲେଖକ ଦାଶ ବେନହୁର

ଭୁବନେଶ୍ବର: ରାଜ୍ୟର ରାଜନୀତି ଓ ଶାସନ କ୍ଷେତ୍ରରେ ବିରଳ ଓ ବଡ଼ ବଡ଼ ଖବରମାନ ସାମନାକୁ ଆସିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଏକଦା ବିଜେପିର ମୁଖ୍ୟ ଟାର୍ଗେଟ୍‌ ପାଲଟିଥିବା ପ୍ରଶାସନିକ ଅଧିକାରୀ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏକାଠି ଖୁସିମୁଦ୍ରାରେ ଦେଖିବାକୁ ମିଳିଥିଲା। ଏକଦା ନବୀନ ସରକାରକୁ ବଙ୍ଗୋପସାଗରରେ ଫିଙ୍ଗିଦେବାଲାଗି ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନବୀନ ପଟ୍ଟନାୟକଙ୍କ ସହ ଏକତ୍ର ଭୋଜନ କରିଛନ୍ତି। ଦିଲ୍ଲୀରେ ଦଙ୍ଗା ପରେ ଆଜି ସେଠାରେ ପୁଲିସ ମୁଖ୍ୟ ଥିବା ଓଡ଼ିଆ ଅଫିସରଙ୍କୁ ହଟାଇ ଦିଆଯାଇଛି। ଭୁବନେଶ୍ବରରେ ଛୁଆବିକ୍ରି ଠାରୁ ଉତ୍ତରପ୍ରଦେଶରେ ୩ ବର୍ଷର ବାଳିକାକୁ ଦୁଷ୍କର୍ମ ଘଟଣା ଆଜି ଗଣମାଧ୍ୟମର ଶିରୋନାମ ପାଲଟିଛି।

ତେବେ ଏସବୁ ଖବର ଆଢ଼ୁଆଳରେ ଆଜି ଓଡ଼ିଶାରେ ଏଭଳି ଏଭଳି ଏକ ବିରଳ ଘଟଣା ଘଟିଛି ଯାହା ଗଣମାଧ୍ୟମର ନଜରକୁ ଏଯାଏଁ ଆସିନାହିଁ। କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ବରିଷ୍ଠ କଥାଶିଳ୍ପୀ ଓ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର (ଜିତେନ୍ଦ୍ର ନାରାୟଣ ଦାଶ) ଆଜି ଜଣେ ନାଗରିକର କର୍ତ୍ତବ୍ୟ ଦେଖାଇବାକୁ ଯାଇ ଏକ ବିରଳ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଋଣଭାରରେ ବୁଡ଼ି ରହିଥିବା ବେଳେ ସହଯୋଗର ହାତ ବଢ଼ାଇଛନ୍ତି ଶ୍ରୀ ବେନହୁର।

ଆଜି ଦାଶ ବେନହୁର ମୁଖ୍ୟମନ୍ତ୍ରୀଙ୍କ ୧୮,୫୦୦ ଟଙ୍କାର ଏକ ଚେକ୍‌ ପ୍ରେରଣ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ ପଠାଇବାର ଏଭଳି ପଦକ୍ଷେପ ପଛରରେେ ଶ୍ରୀ ବେନହୁରଙ୍କ ଯୁକ୍ତି ବେଶ୍‌ ବଳିଷ୍ଠ ଓ ଚିନ୍ତାଦ୍ୟୋତକ।

ଏକ ଆକଳନ ଅନୁସାରେ ରାଜ୍ୟର ମୁଣ୍ଡପିଛା ଋଣଭାର ବର୍ତ୍ତମାନ ୧୮,୪୯୭.୯୮ ବା ୧୮,୫୦୦ ଟଙ୍କାରୁ ମାତ୍ର ୨ ଟଙ୍କା କକମ ରହିଛି। ଅର୍ଥାତ୍‌ ରାଜ୍ୟର ବିକାଶ ବା ଅନ୍ୟ ଆବଶ୍ୟକତା ପୂରଣ ପାଇଁ ସରକାର ଯେଉଁ ଋଣ କରୁଛନ୍ତି ତାହା ଯଦି ସାରା ଓଡ଼ିଶାବାସୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ମୁଣ୍ଡପିଛା ଋଣ ୧୮,୫୦୦ ଟଙ୍କା ରହିବ।

ଶ୍ରୀ ବେନହୁରଙ୍କ ଯୁକ୍ତି ହେଉଛି ଆମ ପରମ୍ପରାରେ ଋଣ କରିବା ଏକ ନିନ୍ଦନୀୟ କଥା। ଭାରତୀୟ ନୀତିଶାସ୍ତ୍ରରେ ଋଣୀ ହୋଇ ମୃତ୍ୟୁବରଣ କରିବା ଠାରୁ ନିନ୍ଦନୀୟ ଘଟଣା ଆଉ କିଛି ନାହିଁ। ବାପ ଋଣ କରିଥିଲେ ତାକୁ ପରିଶୋଧ କରିବା ପୁତ୍ରର କର୍ତ୍ତବ୍ୟ ବୋଲି କୁହାଯାଇଛି। ପୁଅଟିଏ ପିତୃଅର୍ଜିତ ସମ୍ପତ୍ତି ପାଉ ନପାଉ ଋଣବୋଝ ମୁଣ୍ଡାଇବାକୁ ବାଧ୍ୟ ବୋଲି ଶ୍ରୀ ବେନହୁର କହିଛନ୍ତି।

ଋଣ ସୁଝିବା କେବଳ ସରକାରୀ ବ୍ୟବସ୍ଥାରେ ଥିବା ଲୋକଙ୍କର କର୍ତ୍ତବ୍ୟ ନୁହେଁ ବୋଲି ସେ କହିଛନ୍ତି। ସମର୍ଥ ସନ୍ତାନ ପିତୃଋଣ ସୁଝିବା ଭଳି ପ୍ରତିଟି ସମର୍ଥ ନାଗରିକ ରାଜ୍ୟର ଋଣ ବୋଝ ହାଲକା କରିବାକୁ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ବେନହୁର ଯୁକ୍ତି ବାଢ଼ିଛନ୍ତି। ଉପନିଷଦରୁ ଦଧିଚିଙ୍କ ଆତ୍ମବଳି ଓ ଫକୀର ମୋହନଙ୍କ ଗଳ୍ପରେ ରାଣ୍ଡିପୁଅ ଅନନ୍ତାର ତ୍ୟାଗର ଉଦାହରଣ ଦେଇ ଶ୍ରୀ ବେନହୁର କହିଛନ୍ତି ଯେ ସମସ୍ୟା ଆସିଲେ ଯିଏ ଆପେ ଆପେ ସମୁହ ଆଗରେ ଠିଆହୋଇ ଛାତି ପତେଇ ଦିଏ ସିଏ ହିଁ ଅସଲ ନାଗରିକ।

ରାଜ୍ୟର ଋଣ ଆପଣା ମୁଣ୍ଡକୁ ନେଇ ନିଜ ମୁଣ୍ଡପିଛା ଋଣ ପରିମାଣ ସରକାରଙ୍କୁ ଦେବା ଲାଗି କିଛି ଦିନ ତଳେ ସୋସିଆଲ ମିିଡିଆରେ ଆହ୍ବାନ ଦେଇଥିଲେ ଶ୍ରୀ ବେନହୁର। ଆଜି ସେ ପ୍ରଥମେ ସରକାରଙ୍କୁ ୧୮,୫୦୦ ଟଙ୍କାର ଚେକ୍‌ ପ୍ରେରଣ କରି ଏ କାମର ଶୁଭାରମ୍ଭ କରିଛନ୍ତି। ସମର୍ଥ ନାଗରିକମାନେ ଏଭଳି କରିବେ ବୋଲି ସେ ଆଶା କରିଛନ୍ତି।

ଅନ୍ୟପଟେ ଋରଭାର କମ କରିବା ଲାଗି ଦାଶ ବେନହୁର ସରକାରଙ୍କୁ ତିନୋଟି ପ୍ରସ୍ତାବ ଦେଇଛନ୍ତି- ୧) ଅର୍ଥକାରୀ କୃଷି ବ୍ୟବସ୍ଥା, ୨) କୁଟୀର ଶିଳ୍ପର ଦ୍ରୁତ ବିକାଶ, ୩) ଶିଳ୍ପାୟନର ସନ୍ତୁଳିତ ଅଭିବୃଦ୍ଧି।

ରାଜ୍ୟରେ ଅଭାବ ଓ ଅବ୍ୟବସ୍ଥା ପାଇଁ ଜନତା ସରକାରଙ୍କୁ ଦୋଷ ଲଦୁଥିବା ବେଳେ ସରକାରଙ୍କ ବୋଝ ନିଜ ମୁଣ୍ଡକୁ ନେଇ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଶ୍ରୀ ବେନହୁର। ଆଶା ନେତା, ମନ୍ତ୍ରୀ, ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ପ୍ରତିଟି ସମ୍ପନ୍ନ ଓ ସମର୍ଥ ନାଗରିକ ଶ୍ରୀ ବେନହୁରଙ୍କ ପଦାଙ୍କ ଅନୁସରଣ କରି ରାଜ୍ୟକୁ ଋଣମୁକ୍ତ କରିବାରେ ସହଯୋଗ କରିବେ। ଯଦି ଏଭଳି ହୁଏ, ତେବେ ନାଗରିକଙ୍କ ଦ୍ବାରା ଋଣ ପରିଶୋଧର ଏକ ବିରଳ ବିଶ୍ବରେକର୍ଡର ଅଧିକାରୀ ହେବ ଓଡ଼ିଶା।

Comments are closed.