ଫ୍ଲାଇଟ୍ ଭିତରେ ପାରା

ନୂଆଦିଲ୍ଲୀ: ଅହମଦାବାଦରୁ ଜୟପୁର ଯାଉଥିବା ‘ଗୋଏୟାର୍’ ବିମାନ ଭିତରେ ପାରାଟିଏ ଉଡୁଥିବା ଦେଖି ଯାତ୍ରୀମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣାର ଉତ୍ତୋଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ପାରାଟି ବିମାନ ଭିତରେ ଏମୁଣ୍ଡରୁ ସେମୁଣ୍ଡକୁ ଉଡ଼ି ବୁଲୁଛି। କାଳେ ପାରା ସେମାନଙ୍କ ଦେହରେ ବାଜି ଯିବ- ଏହି ଆଶଙ୍କାରେ ଯାତ୍ରୀ ଓ ବିମାନର ପରିଚାରକମାନେ ମୁଣ୍ଡ ନୋଇଁ ଦେଉଛନ୍ତି। କେତେକ ସେ ପାରାଟିକୁ ଧରିବାକୁ ଚେଷ୍ଟା କରି ବିଫଳ ମଧ୍ୟ ହେଉଛନ୍ତି। କେତେକ ପାରାଟିକୁ ଭଲକରି ଦେଖିବାକୁ ସିଟ୍ରୁ ଉଠି ପଡୁଥିବା ବେଳେ ଅନ୍ୟ କେତେକ ବିମାନର ପଛ ଦ୍ୱାର ଖୋଲି ଦେବାକୁ ପରିଚାରକମାନଙ୍କୁ କହୁଛନ୍ତି। ଫଳରେ ପାରାଟି ପଦାକୁ ଉଡ଼ିଯିବ। ପାରାଜନିତ ଗୋଳମାଳିଆ ପରିସ୍ଥିତି ଯୋଗୁଁ ବିମାନଟି ପ୍ରାୟ ୩୦ ମିନିଟ ବିଳମ୍ବରେ ଉଡ଼ାଣ ଆରମ୍ଭ କରିଥିଲା।