Odisha Link
Bridging the Missing Links in Odisha

ଇଗନାଇଟ୍‌ ଫିଲ୍ମ ଫେଷ୍ଟିଭାଲ-୨୦୨୦: ‘ଇନ୍‌ ମେମୋରି ଅଫ୍‌ ବାପୁ’ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତରୀ ପାଳନ ଅବସରରେ ଓଡ଼ିଶାର ଅଗ୍ରଣୀ ପ୍ରଡକ୍ସନ୍‌ ହାଉସ୍‌ ‘ସ୍ପର୍ଶ’ ପକ୍ଷରୁ ଇଗନାଇଟ୍‌ ଫିଲ୍ମ ଫେଷ୍ଟିଭାଲ-୨୦୨୦ ଆଜି ନୟାପଲ୍ଳୀସ୍ଥିତ ୟୁସିସିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନ ଦର୍ଶନ ଉପରେ ଆଧାରିତ ଏହି ଫେଷ୍ଟିଭାଲରେ ମହାତ୍ମା ଗାନ୍ଧୀଙ୍କୁ ନେଇ ନିର୍ମିତ ଫିଲ୍ମ ଗୁଡ଼ିକ ସାମିଲ ହୋଇଥିଲା।

ଫିଲ୍ମଗୁଡ଼ିକ ସମାଜକୁ ସଚେତନ କରିବା ସହ ଗାନ୍ଧିଜୀଙ୍କ ଆଦର୍ଶକୁ ଉଜ୍ଜୀବିତ ରଖିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପୁରସ୍କାର ବିତରଣ ସମାରୋହରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

ଯୁବ ଫିଲ୍ମ ନିର୍ମାତା ଶେଖ୍‌ ଗୁଲଜାର ହୁସନେ ‘ଇନ୍‌ ମେମୋରି ଅଫ୍‌ ବାପୁ’ ଫିଲ୍ମ ପାଇଁ ପ୍ରଥମ ପୁରସ୍କାର ପାଇଛନ୍ତି। ଏଥିସହିତ ସେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ସେହିଭଳି ଅନ୍ୟତମ ଫିଲ୍ମ ନିର୍ମାତା ସଂଗ୍ରାମ କେଶରୀ ‘ଗାନ୍ଧୀ ଆଉ ନାହାନ୍ତି’ ଚଳଚ୍ଚିତ୍ର ପାଇଁ ପ୍ରଥମ ରନର୍ସଅପ୍‌ ଓ ଜ୍ଞାନରଞ୍ଜନ ସାଥୁଆ ‘ସ୍ବଚ୍ଛ ସଂକଳ୍ପ’ ଚଳଚ୍ଚିତ୍ର ପାଇଁ ୨ୟ ରନର୍ସଅପ୍‌ ପୁରସ୍କାର ପାଇଥିଲେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର କହିଥିଲେ ଯେ, ପରିବେଶ ଓ ସ୍ବାସ୍ଥ୍ୟ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ସହଜ, ହେଲେ ଅତୀତ ଘଟଣା ଆଧାରିତ ଚଳଚ୍ଚିତ୍ର କରିବା କଷ୍ଟସାଧ୍ୟ। ୧୦୦ ବର୍ଷ ପୁରୁଣା ଘଟଣା ଉପରେ ଫିଲ୍ମ ନିର୍ମାଣ କରି ଏହି ଯୁବ ନିର୍ମାତାମାନେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ

Comments are closed.