Odisha Link
Bridging the Missing Links in Odisha

ସାଧାରଣ ଲୋକ ଓ କର୍ମଚାରୀଙ୍କ ଜୀବନକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କ ପ୍ରାଥମିକତା : ଦିବ୍ୟ

ଭୁବନେଶ୍ୱର : ସାଧାରଣ ଲୋକ ଓ କର୍ମଚାରୀମାନଙ୍କ ଜୀବନକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କ ପ୍ରାଥମିକତା ହେବା ଦରକାର ବୋଲି ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ।

ଆଜି ପୂର୍ବାହ୍ନରେ କୃଷିଭବନ ପ୍ରେକ୍ଷାଳୟରେ ଶକ୍ତି ବିଭାଗ, ଗ୍ରୀଡ଼୍‌କୋ ଏବଂ ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାରଣ ନିଗମ(ଓ ପିଟିସିଏଲ୍‌)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୯ତମ ଜାତୀୟ ସୁରକ୍ଷା ଦିବସ ଅବସରରେ ଆୟୋଜିତ ଏକ ସଚେତନତା ସଭାରେ ମନ୍ତ୍ରୀ ଏହା କହିଛନ୍ତି ।  ଆକସ୍ମିକ ଦୁର୍ଘଟଣାକୁ ହୁଏତ ରୋକା ଯାଇ ନ ପାରେ କିନ୍ତୁ ଦୁର୍ଘଟଣାରେ ଘଟୁଥିବା ଧନ ଓ ପ୍ରାଣହାନିକୁ ଆମେ ରୋକି ପାରିବା ସେଥି ପାଇଁ ଆମକୁ ସଚେତନ ଏକ ସତର୍କତା ଅବଲମ୍ବନ କରିବାକୁ ହେବ ।

ପ୍ରତ୍ୟେକ ଦାୟିତ୍ୱବାନ କର୍ମଚାରୀ ଭାବେ ନିଜ ନିଜର କର୍ତ୍ତବ୍ୟର ସୁଚାରୁ ସଂପାଦନ ପ୍ରତି ଧ୍ୟାନଦେବା, ନିଷ୍ଠାର ସହ କାର୍ଯ୍ୟ କରିବା ଏବଂ କାର୍ଯ୍ୟରେ କୌଣସି ତ୍ରୁଟିକୁ ପ୍ରଶ୍ରୟ ଦେବା ନାହିଁ ତେବେ ମଣିଷ ଭଳି ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖି ପାରିବା ବୋଲି ସେ କହିଥିଲେ ।

ବୈଠକ ପ୍ରାରମ୍ଭରେ ଗଞ୍ଜାମ ବିଦ୍ୟୁତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଅମର ଆତ୍ମାର ସଦ୍‌ଗତି ଉଦ୍ଦେଶ୍ୟରେ ଏକ ମିନିଟ୍‌ର ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଏକ ସୁରକ୍ଷା ଶପଥ ପାଠ କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ପପଦ ସେଠୀ, ଗ୍ରୀଡ଼୍‌କୋ ଏବଂ ଓ ପିଟିସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ସୌରଭ ଗର୍ଗ, ସେସୁର ମୁଖ୍ୟ ନିର୍ବାହୀ ଅଧିକାରୀ ଅରୁଣ ବୋଥ୍ରା, ଇଆଇସି ସନ୍ତୋଷ କୁମାର ଦାସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶିଷ ଈଶ୍ୱର ପାଟିଲ୍‌ ଯୋଗଦେଇ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ମୁଖ୍ୟ ବକ୍ତା ଇଂ. ଉମାକାନ୍ତ ମିଶ୍ର ସୁରକ୍ଷାର ଆବଶ୍ୟକତା ଏବଂ ଏହାର ପ୍ରୟୋଗ ଉପରେ ଗଭୀର ଭାବେ ଆଲୋକ ପାତ କରିଥିଲେ । ବକ୍ତାମାନେ ସୁରକ୍ଷା ସଞ୍ଚନ୍ଧରେ ସ୍କୁଲ ସ୍ତରର ପାଠ୍ୟକ୍ରମରେ ଏକ ବିଷୟ ସ୍ଥାନିତ କରିବା ପାଇଁ ମତ ଦେଇଥିଲେ ।

ପରେ ଏହି ଦିବସ ଉପଲକ୍ଷେ ଆୟୋଜିତ ଓଡ଼ିଆ ସୁରକ୍ଷା ସ୍ଳେଗାନ, ଇଂରାଜୀ ସ୍ଳୋଗାନ, ପୋଷ୍ଟର ପ୍ରସ୍ତୁତି, ଶ୍ରେଷ୍ଠ ସୁରକ୍ଷା କ୍ୟାପ୍‌ସନ୍‌ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥି ସହିତ ଶ୍ରେଷ୍ଠ ସୁରକ୍ଷିତ ଗ୍ରୀଡ଼୍‌ ଭାବେ କେନ୍ଦ୍ରା ପଡ଼ା ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ପ୍ରଥମ, ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଲକ୍ଷ୍ମୀ ପୁରକୁ ଦ୍ୱିତୀୟ ଏବଂ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌, ଆସ୍କାକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସର୍ବୋତ୍ତମ ନିର୍ମାଣ କାର୍ଯ୍ୟକ୍ଷେତ୍ର ଭାବେ ମଞ୍ଚେଶ୍ୱର ୧୩୨/୩୩ କେଭି ଜିଆଇଏସ୍‌, ମଞ୍ଚେଶ୍ୱରକୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସୁରକ୍ଷା ଉ ପକରଣଗୁଡ଼ିକର ଏକ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦ୍‌ଘାଟନ କରି ବୁଲି ଦେଖିଥିଲେ ।

Comments are closed.