Odisha Link
Bridging the Missing Links in Odisha

‘କରୋନା’ ନେଇ ସ୍କୁଲରେ ସଚେତନତା କରାଯିବ

ଭୁବନେଶ୍ୱର : ସାରା ଦେଶରେ କରୋନାର ଭୟ ଲାଗି ରହିଛି । ଓଡ଼ିଶାରେ ‘କରୋନା’ରେ କେହି ଆକ୍ରାନ୍ତ ହୋଇନାହାନ୍ତି। ‘କରୋନା’କୁ ନେଇ ଗତକାଲି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଥିବା ବେଳେ ଆଜି ସ୍କୁଲ ପିଲାମାନଙ୍କ ଭିତରେ ସଚେତନତା କରିବା ପାଇଁ ଓଡ଼ିଶା ସ୍କୁଲ ଏଜୁକେଶନ୍‌ ପ୍ରୋଗ୍ରାମ ଅଥରିଟି (ଓଏସ୍‌ଇପିଏ) ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ।

ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ହ୍ୟାଣ୍ଡ ଓ୍ୱାସ୍‌ରେ ହାତ ସଫା କରିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ହଠାତ କାଶିଲେ ବା ଛିଙ୍କିଲେ ମୁହଁରେ ରୁମାଲ ଲଗାଇବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଟିସୁ ପେପର ବ୍ୟବହାର କରାଯାଉ। ସାଧାରଣଲୋକଙ୍କ ଗହଳି ସ୍ଥାନରୁ ଦୂରେଇ ରୁହନ୍ତୁ ଆଦି ଚିଠିରେ ଉଲ୍ଲେଖ ରହିଛି ।  ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ସଚେତନତା ସୃଷ୍ଟି ପାଇଁ ଓଏସ୍‌ଇପିଏ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ‘କରୋନା’ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ବସିଥିଲା ସମୀକ୍ଷା ବୈଠକ। ପରେ ସ୍ୱାସ୍ଥ୍ୟ ସଚିବ କୌଣସି ଜାଗାରେ ଏକାଠି ନହେବାକୁ ପରାମର୍ଶ ଦେଇଥିଲେ। ଏପରିକି କୌଣସି ବଡ଼ ସଭାସମିତି ଆୟୋଜନ ନକରିବା ସହିତ କରମର୍ଦ୍ଦନ ଓ ଆଲିଙ୍ଗନ ନକରିବା ଅପିଲ୍‌ କରିଥିଲେ ସ୍ୱାସ୍ଥ୍ୟ ସଚିବ।

ସେପଟେ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ଓଡ଼ିଶାରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନାହିଁ। ତେଣୁ ସ୍କୁଲ ବନ୍ଦ ରଖିବାର ଆବଶ୍ୟକତା ନାହିଁ।

କରୋନାରେ ଭାରତରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଶତାଧିକ ଆଇସୋଲେସନରେ ରଖାଯାଇଛି । ଅନ୍ୟପକ୍ଷରେ ‘କରୋନା’ର ମୁକାବିଲା ପାଇଁ ବ୍ୟାପକ ସଚେତନତା କରାଯାଉଛି । ଏପରିକି ମାସ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

Comments are closed.