ରାଜ୍ୟସଭା ଯିବେ ସୁବାସ ସିଂ, ତାଙ୍କ ସ୍ଥାନ ନେଲେ ରମେଶ

ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଘୋଷଣା କରାଯାଇଥିବା ୪ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ। ତେବେ ତାଙ୍କ ସ୍ଥାନରେ ଏବେ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ ଦାୟିତ୍ୱ ସମ୍ଭାଳିବେ। ଏଥିସହ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ନବୀନ।
ରାଜ୍ୟସଭା ରେସରେ ଥିଲେ ରମେଶ ଚ୍ୟାଉ ପଟ୍ଟନାୟକ। ଏନେଇ ସେ ଗତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏଥିସହ ସେ ରାଜ୍ୟସଭା ଟିକଟ ପାଇବେ ବୋଲି ଆଶା ରଖିଥିବା କହିଥିଲେ । ହେଲେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ଦେଇଛନ୍ତି।