Odisha Link
Bridging the Missing Links in Odisha

ସ୍ୱର୍ଗଦ୍ୱାରରେ ଜୁଇକୁ ଡେଇଁଲେ ମହିଳା

ପୁରୀ: ଦୀର୍ଘଦିନ ହେବ ମାନସିକ ଅଶାନ୍ତିରେ ଥିବା ଜନୈକ ମହିଳା ସ୍ୱର୍ଗଦ୍ୱାରରେ ଜଳନ୍ତା ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ମହିଳାଙ୍କ ଶରୀରର କିଛି ଅଂଶ ବି ଜଳିଯାଇଛି। ଆଖପାଖ ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରମା ଦାସ ବୋଲି ଜଣାପଡ଼ିିଛି। ସେ ଏବେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ରମା ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏରେ ସ୍ୱର୍ଗଦ୍ୱାର ଭିତରେ ଚଲାବୁଲା କରୁଥିଲେ। କିଛି ସମୟ ବସିବା ପରେ ହଠାତ ସ୍ୱର୍ଗଦ୍ୱାରରେ ଏକ ଜଳନ୍ତା ଜୁଇକୁ ଡେଇଁ ପଡ଼ିଥିଲେ। ପାଖରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଗାଡ଼ି ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏଥିରେ ରମାଙ୍କ ଗୋଡ଼, ହାତ ଓ ଶରୀରର ଅନ୍ୟାନ୍ୟ ସ୍ଥାନ ଜଳି ଯାଇଛି। ରମାଙ୍କ କହିବା ମୁତାବକ, ପାରିବାରିକ କଳହ କାରଣରୁ ସ୍ୱାମୀଙ୍କ ସହ ତାଙ୍କର ପଡ଼ିନଥିଲା। ସଦାସର୍ବଦା ଘରେ କଳହ ଲାଗି ରହୁଥିଲା। ପରେ ସ୍ୱାମୀ ସ୍ତ୍ରୀଙ୍କ ଛାଡ଼ପତ୍ର ହୋଇଯାଇଥିଲା। ସେବେଠୁ ରମା ଶାଶୁ ଘର ଛାଡ଼ି ଆସି ବାପ ଘରେ ରହୁଥିଲେ। କିନ୍ତୁ ଭାଇ ଭାଉଜଙ୍କ ଭିତରେ ଅପଡ଼ ଯୋଗୁଁ ସେଠାରେ ବି ଶାନ୍ତିରେ ରହି ପାରିନଥିଲେ। ବାପା ମା ଙ୍କ ସହ କିଛି ଦିନ ଅଲଗା ରହିବା ପରେ ଏହି ଅଶାନ୍ତିରୁ ଦୂରେଇ ରହିବା ପାଇଁ ମାସେ ତଳେ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ଶ୍ରୀମନ୍ଦିରରେ ଖାଇବା ସହ ଯେଉଁଠି ପାରୁଥିଲେ ସେଇଠି ରହି ଯାଉଥିଲେ। କିନ୍ତୁ ପୂର୍ବ ଅଶାନ୍ତି ମନରେ ଘାଣ୍ଟି ହେଉଥିଲା। ଚାରିଆଡ଼ୁ ଆଶ୍ରା ଖୋଜି ଖୋଜି ନିରାଶ ହେବା ପରେ ଶୁକ୍ରବାର ସ୍ୱର୍ଗଦ୍ୱାର ଜୁଇକୁ ଡେଇଁ ମରିବାକୁ ଯାଇଥିଲେ ବୋଲି ରମା କହିଛନ୍ତି।

Comments are closed.