Odisha Link
Bridging the Missing Links in Odisha

ମଧ୍ୟପ୍ରଦେଶ ରାଜନୀତି: ସୁପ୍ରିମକୋର୍ଟ ଗଲେ ଶିବରାଜ, ରାଜ୍ୟପାଳଙ୍କ ସମ୍ମୁଖରେ ବିଜେପି ବିଧାୟକଙ୍କ ପ୍ୟାରେଡ

ଭୋପାଳ: କମଲନାଥ ସରକାରଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି। କାରଣ ଆଜି ହେବାର ଥିଲା ମଧ୍ୟପ୍ରଦେଶ ସରକାରଙ୍କ ଶକ୍ତି ପରୀକ୍ଷା ହେଲେ ବାଚସ୍ପତି ମାର୍ଚ୍ଚ ୨୬ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି। ଯାହାଫଳରେ ଫ୍ଲୋର ଟେଷ୍ଟକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବିଜେପି ନେତା ଶିବରାଜ ସିଂହ ଚୌହାନ। ଏଥିସହିତ ୧୨ ଘଣ୍ଟା ମଧ୍ୟରେ ଏହି ମାମଲାର ଶୁଣାଣି ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି।

ଅପରପକ୍ଷେ ଶିବରାଜଙ୍କ ନେତୃତ୍ବରେ ବିଜେପି ବିଧାୟକ ମାନେ ରାଜ୍ୟଭବନ ଯାଇ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ସାକ୍ଷାତ କରିଛନ୍ତି। ଏଥିସହିତ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଛନ୍ତି ଶିବରାଜ। ରାଜ୍ୟପାଳଙ୍କ ସମ୍ମୁଖରେ ବିଜେପିର ୧୦୬ ବିଧାୟକ ପ୍ୟାରେଡ କରିବା ସହ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ।

ଅପରପକ୍ଷେ ରାଜ୍ୟପାଳ କହିଛନ୍ତି ଯେ, ସାମ୍ବିଧାନିକ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟକଙ୍କ ଅଧିକାରକୁ ଉଂଲଘନ ହେବ ନାହିଁ। ଅନ୍ୟପଟେ ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଆମେ ରାଜ୍ୟପାଳଙ୍କୁ ଜଣାଇଛୁ ଯେ ଆପଣଙ୍କ ଆଦେଶ ପାଳନ କରାଯାଇ ନାହିଁ।

ସୂଚନାଯେଗ୍ୟ, ଆଜି ବିଧାନସଭାରୁ ରାଜ୍ୟପାଳ ଚାଲିଯିବା ପରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକମାନେ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଥିଲେ ହେଁ କଂଗ୍ରେସ ସରକାର ଏଥିରେ ରାଜି ହୋଇ ନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୋବିନ୍ଦ ସିଂହ ଗୃହରେ କରୋନା ଭାଇରସର ବିପଦ କଥା ଉଠାଇବ ସହ କେନ୍ଦ୍ର ସରକାରଙ୍କ ଜାରି କରିଥିବା ନିର୍ଦ୍ଦେଶାବଳୀ ପଢ଼ିଥିଲେ।

ଏଥିସହ ସେ ଗୃହକୁ ମୁଲତବୀ କରିବାକୁ ଦାବି କରିଥିଲେ। ଶ୍ରୀ ସିଂହଙ୍କ ଦାବିକୁ ଗ୍ରହଣ କରି ବାଚସ୍ପତି ଗୃହକୁ ୨୬ ତାରିଖ ଯାଏ ମୁଲତବୀ ଘୋଷଣା କରିଥିଲେ। ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଏହି ରୁଲିଂକୁ ତୀବ୍ର ବିରୋଧ କରିଥିଲେ। କିନ୍ତୁ କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ରୁଲିଂକୁ ସମର୍ଥନ କରିଥିଲେ।

Comments are closed.