Odisha Link
Bridging the Missing Links in Odisha

କରୋନା: ଗିରଫ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଧର୍ମଗଡ଼: କରୋନା ସମ୍ପର୍କିତ ମିଛ ଖବର ଭାଇରାଲ୍‌ କରି ଗିରଫ ହୋଇଥିବା ଜଣେ ଶିକ୍ଷକଙ୍କୁ କଳାହାଣ୍ଡି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହି ଶିକ୍ଷକଙ୍କ ନାଁ ବିନ୍ଦୁ ମହାନନ୍ଦ। ସେ ଗୋଲାମୁଣ୍ଡା ବ୍ଲକ୍‌ ଡୁଡକେଲା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଗତ ୧୫ ତାରିଖରେ ସୋଶାଲ ମିଡିଆରେ କରୋନା ନେଇ ମିଛ ଖବର ଭାଇରାଲ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଥିଲେ।
ଗୋଲାମୁଣ୍ଡା ଅଞ୍ଚଳର ଖଲିଆପାଲି ଗାଁରେ ଜଣେ ବ୍ୟକ୍ତି ବାଙ୍ଗାଲୋରରୁ ଘରକୁ ଫେରିଛନ୍ତି ଓ ତାଙ୍କୁ କରୋନା ହୋଇଛି ବୋଲି ଗତ ୧୪ ତାରିଖରେ ଏକ ଗୁଜବ ସୋଶାଲ ମିଡିଆରେ ପ୍ରଚାର ହୋଇଥିଲା। ଏହି ଖବର ପ୍ରଚାର ହେବା ପରେ ପୂରା ଧର୍ମଗଡ଼ ସବ୍‌ ଡିଭିଜନ୍‌ରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ପୁଲିସ ଏହି ବିଷୟରେ ଖବର ପାଇ ନିଜ ଆଡୁ ତଦନ୍ତ କରିଥିଲା। ବିନ୍ଦୁଙ୍କ ମୋବାଇଲରୁ ଏହି ମେସେଜଟି ଆସିଥିବା ତଦନ୍ତରୁ ଜଣାପଡ଼ିଥିଲା। ପୁଲିସ୍ ପ୍ରଥମେ ବିନ୍ଦୁଙ୍କୁ ପଚରାଉଚରା କରି ତାଙ୍କ ମୋବାଇଲଟିକୁ ସିଜ୍‌ କରିଥିଲା। ଏହା ପରେ ୧୫ ତାରିଖରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Comments are closed.