Odisha Link
Bridging the Missing Links in Odisha

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଂଜନ ଗୋଗୋଇ, ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଣେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଂସଦ ସଦସ୍ୟ କିମ୍ବା ଅନ୍ୟ ରାଜନୈତିକ ପଦବୀ ଗ୍ରହଣ କରିବା ନୂଆ ନୁହେଁ । ପୂର୍ବରୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର କଂଗ୍ରେସ ତରଫରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେହିପରି ଆଉଜଣେ ପୂର୍ବତନ ପ୍ରଧାନ ବିଚାରପତି ପି. ସଦାଶିବମଙ୍କୁ ମୋଦୀ ସରକାର କେରଳର ରାଜ୍ୟପାଳ ନିଯୁକ୍ତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ ଓ ଏମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରପତି ମନୋନୀତ କରିଥାନ୍ତି।

ଜଷ୍ଟିସ ଗୋଗୋଇ ଗତ ନଭେମ୍ବର ୨୦୧୯ରେ ଅବସର ଗ୍ରହଣ କରିଥିଲେ। ନିଜର ୧୩ ମାସର କାର୍ଯ୍ୟକାଳରେ ସେ ଅଯୋଧ୍ୟା ରାୟ ପ୍ରଦାନ କରି ଚର୍ଚ୍ଚାରେ ରହିଥିଲେ। ସେହିପରି ରାଫେଲ ମାମଲାରେ କଂଗ୍ରେସ ପକ୍ଷରୁ ଆଗତ ପିଟିସନକୁ ସେ ଖାରଜ କରିଦେଇଥିଲେ।

Comments are closed.