Odisha Link
Bridging the Missing Links in Odisha

୪୭ ସାମ୍ପଲରୁ ୪୬ ନେଗେଟିଭ୍: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ବର: କରୋନାର ତାଜା ସ୍ଥିତି ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୪୬ଟି ସାମ୍ପଲ ଟେଷ୍ଟ କରାଯାଇଛି। ସେଥିମଧ୍ୟରୁ ୪୬ ନେଗେଟିଭ୍‌ ଥିବା ବେଳେ ଗୋଟିଏ ପଜିଟିଭ୍‌ ଚିହ୍ନଟ କରାଯାଇଛି। କରୋନା ଆକ୍ରାନ୍ତ ଯୁବକ ଜଣଙ୍କ ଏବେ କ୍ୟାପିଟାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସେ ସୁସ୍ଥ ଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ହୋଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି। ଏଥିସହ ଗତକାଲି ୧୨ଟି ସାମ୍ପଲର ଟେଷ୍ଟ କରାଯାଇଥିଲା ଏବଂ ସମସ୍ତ ୧୨ଟି ସାମ୍ପଲ ନେଗେଟିଭ୍‌ ଚିହ୍ନଟ ହୋଇଛି। ଏବଂ ଆଜି ଆଉ ୬ଟି ସାମ୍ପଲ ପରୀକ୍ଷା ପଠାଯାଇଛି। ଏନେଇ ଗୀତଗୋବିନ୍ଦ ସଦନରେ ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୧୦୪ ହେଲପ୍ ଲାଇନ୍‌କୁ ୧୩,୬୨୭ କଲ୍‌ ଆସିଛି। ବିଦେଶରୁ ଫେରିଥିବା ୨୧୩୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଗତକାଲି କରୋନା ଭାଇରସ୍‌ ବିଶ୍ୱର ୧୬୨ଟି ରାଷ୍ଟ୍ରକୁ ଆକ୍ରାନ୍ତ କରିଥିବା ବେଳେ ଆଜି ଏହି ସଂଖ୍ୟା ୧୬୭ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧,୮୩,୧୧୬ ରହିଥିବା ବେଳେ ଆଜି ଏହା ୧,୯୯,୧୯୩କୁ ବୃଦ୍ଧି ପାଇଛି।

Comments are closed.