Odisha Link
Bridging the Missing Links in Odisha

ରାଜ୍ୟସଭା: ଶପଥ ନେଲେ ରଞ୍ଜନ ଗୋଗେଇ, ଗୃହ ତ୍ୟାଗ କଲେ ବିରୋଧୀ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରୀ ଗୋଗେଇଙ୍କୁ ଶପଥ ପାଠ କରାଇଥିଲେ। ରଞ୍ଜନ ଗୋଗେଇଙ୍କ ଶପଥ ଗ୍ରହଣକୁ ବିରୋଧ କରି କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରିଥିଲେ। ଏଥିସହିତ ବିଏସପି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ଡିଏମକେ ଏବଂ ଏମଡିଏମକେ ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ।

ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଜଷ୍ଟିସ ଗୋଗୋଇ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ। ତେବେ ଏହାକୁ ବିରୋଧୀ କରି ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ। ଜଷ୍ଟିସ ଗୋଗୋଇ ୨୦୧୯ ନଭେମ୍ବର ମାସରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ। ଏହାର ୪ ମାସ ପରେ ଅର୍ଥାତ ମାର୍ଚ୍ଚ ୧୬ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ତେବେ ଜଣେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯିବା ଓ ଏହାକୁ ସେ ଆଦରର ସହ ଗ୍ରହଣ କରିବାକୁ ଅନେକ ନାପସନ୍ଦ କରିଥିଲେ।

ବିଶେଷ କରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଯଥା ଜଷ୍ଟିସ ମଦନ ଲୋକୁର, ଜଷ୍ଟିସ ଏକେ ପଟ୍ଟନାୟକ ଓ ଜଷ୍ଟିସ୍‌ କୁରିଏନ ଯୋଜେଫ ଏହାକୁ ବିରୋଧ କରିଥିଲେ। ତେବେ ଜଷ୍ଟିସ୍ ଗୋଗୋଇ ନିଜ ନିଷ୍ପତ୍ତିରେ କାଏମ ରହିଥିଲେ ଓ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଏକାଠି କାମ କଲେ ଦେଶ ପାଇଁ ଭଲ ବୋଲି ମତ ଦେଇଥିଲେ। ପ୍ରଥମଥର ପାଇଁ ଦେଶର କୌଣସି ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସେହିପରି ଜଷ୍ଟିସ୍‌ ଗୋଗୋଇ ଦ୍ୱିତୀୟ ପୂର୍ବତନ ପ୍ରଧାନ ବିଚାରପତି ଯିଏ, ରାଜ୍ୟସଭା ସାଂସଦ ହୋଇଛନ୍ତି। କାରଣ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଙ୍ଗନାଥ ମିଶ୍ର ଓଡ଼ିଶାରୁ କଂଗ୍ରେସର ରାଜ୍ୟସଭା ସାଂସଦ ହୋଇଥିଲେ। ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଅବସର ନେବାର ୭ ବର୍ଷ ପରେ ଅର୍ଥାତ ୧୯୮୮ରେ ଜଷ୍ଟିସ ମିଶ୍ର ରାଜ୍ୟସଭାକୁ ଯାଇଥିଲେ।

Comments are closed.