Odisha Link
Bridging the Missing Links in Odisha

କରୋନା: ଆଇସିଏସଇ ଓ ଆଇଏସସି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ଦେଶରେ ବିଭିନ୍ନ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ବେଳେ ଆଜି ଆଇସିଏସଇ ଓ ଆଇଏସସି ପରୀକ୍ଷା ସ୍ଥଗିତ କରାଯାଇଛି। ଆଜି ଠାରୁ ମାର୍ଚ୍ଚ ୩୧ ମଧ୍ୟରେ ହେବାକୁ ଥିବା ଆଇସିଏସଇ ଓ ଆଇଏସସିର ସମସ୍ତ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଗତକାଲି ସିବିଏସ୍‌ଇର ୧୯ରୁ ୩୧ ଯାଏ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା।

ଆଇସିଏସଇ ପରିଷଦ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ “କରୋନା ଭାଇରସ ଦେଶରେ ବ୍ୟାପୁଥିବାରୁ ପରିଷଦ ପିଲାମାନଙ୍କର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ୩୧ ତାରିଖ ଯାଏଁ ୨୦୨୦ ବର୍ଷ ପାଇଁ ହେବାକୁ ଥିବା ଆଇସିଏସଇ ଓ ଆଇଏସସି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ସ୍ଥିତିରେ ସୁଧାର ଆସିଲେ ପରୀକ୍ଷା ତାରିଖ ଘୋଷଣା କରାଯିବ।”

ସୂଚନାଯୋଗ୍ୟ, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକ ଗୁଡ଼ିକୁ ମଧ୍ୟ ପରୀକ୍ଷା ମାର୍ଚ୍ଚ ୩୧ ଯାଏ ବନ୍ଦ କରିବାକୁ କହିଛି। ଏପରିକି ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ମଧ୍ୟ ଚଳିତ ମାସ ୩୧ ତାରିଖ ଯାଏ ବନ୍ଦ ରଖିବାକୁ ସିବିଏସ୍‌ଇର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.