କରୋନା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ଼ ଘୋଷଣା, ୩୫ ଲକ୍ଷ ଶ୍ରମିକଙ୍କୁ ମିଳିବ ହଜାରେ ଟଙ୍କା

ଲକ୍ଷ୍ମୌ: ସାରା ବିଶ୍ବରେ କରୋନା ଭୂତାଣୁ ରଚିଛି ଆତଙ୍କ। ଏପରିକି ଭାରତରେ ମଧ୍ୟ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା ଭାଇରସ୍। ଏହି ମହାମାରୀ ପାଇଁ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସକୁ ନେଇ କରିଛନ୍ତି ବଡ଼ ଘୋଷଣା। ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଜରୁରୀକାଳୀନ ସ୍ଥିତିରେ ୩୫ ଲକ୍ଷ ଶ୍ରମିକଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ଯୋଗୀ କହିଛନ୍ତି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ୧୫ ଲକ୍ଷ ଛୋଟ ବ୍ୟବସାୟୀ ଓ ୨୦ ହଜାର ୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ଏହି ସୁବିଧା ଉପଲ୍ବଧ ହେବ। ଏହାବ୍ୟତୀତ ସମସ୍ତ ପଞ୍ଜୀକୃତ ଶ୍ରମକିଙ୍କୁ ଭରଣ ପୋଷଣ ବାବଦକୁ ଭତ୍ତା ପ୍ରଦାନ କରାଯିବ। ଏହି ୩୫ ଲକ୍ଷ ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ୧୦୦୦ ଟଙ୍କା ଯିବ ବୋଲି କହିଛନ୍ତି ଯୋଗୀ।
ବିପିଏଲ ପରିବାରଗୁଡିକ ୨୦ କିଲୋଗ୍ରାମ ଗହମ, ୧୫ କିଲୋଗ୍ରାମ ଚାଉଳ ମାଗଣାରେ ପ୍ରଦାନ କରାଯିବ। PDS ଦୋକାନ ମାଧ୍ୟମରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଯୋଗୀ। ଅପ୍ରିଲ ଓ ମେ ମାସର ପେନସନ ଟଙ୍କା ଅପ୍ରିଲ ମାସରେ ମିଳିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ।