Odisha Link
Bridging the Missing Links in Odisha

କରୋନା ଟେଷ୍ଟିଂ କିଟ୍‌: ୧୦ ମିନିଟ୍‌ରେ ହୋଇପାରିବ ପରୀକ୍ଷଣ

ଓଏସ୍‌ ବ୍ୟୁରୋ: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତାରେ। ଏ ପର୍ଯ୍ୟନ୍ତ ୯୦୦୦ରୁ ଉର୍ଦ୍ଧ୍ବ ଲୋକ ଏହା ଦ୍ବାରାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି। ତେବେ ଏହାର ପରୀକ୍ଷଣ ବେଶ୍‌ ସମୟ ଓ ବ୍ୟୟସାପେକ୍ଷ। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ବାରା ଅତ୍ୟାଧୁନିକ ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧଙ୍କର ରକ୍ତ ଓ ସ୍ବାବ୍‌ ପରୀକ୍ଷଣ କରାଯାଇ ପଜିଟିଭ୍‌ ବା ନେଗେଟିଭ୍‌ ଜଣାପଡ଼ିଥାଏ।

ତେବେ ଗର୍ଭ, ରକ୍ତଶର୍କରା ଆଦି ପରୀକ୍ଷଣ କିଟ୍‌ ଭଳି ଦକ୍ଷିଣ କୋରିଆର ଏକ ଔଷଧ ଫାର୍ମ କୋଭିଡ୍-୧୯ ଭାଇରସ୍‌ ଆକ୍ରାନ୍ତଙ୍କ ପରୀକ୍ଷା ପାଇଁ ଏକ କିଟ୍‌ ଉଦ୍‌ଭାବନ କରିଛି। ଏହି କିଟ୍‌ ସାହାଯ୍ୟରେ ମାତ୍ର ୧୦ ମିନିଟ୍‌ରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି କି ନା ଜଣାପଡ଼ିବ ବୋଲି ଗବେଷକମାନେ ଦାବି କରିଛନ୍ତି। COVID-19 Ag GICA Rapid ନାମକ ଏହି ପରୀକ୍ଷଣ କିଟ୍‌ର ସଠିକତା ୮୫% ପ୍ରତିଶତ ବୋଲି ସେମାନେ କହିଛନ୍ତି।

ଦକ୍ଷିଣ କୋରିଆ ମିନିଷ୍ଟ୍ରୀ ଅଫ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ସେଫ୍‌ଟି ନିକଟରେ ଏହି ଭଳି ୪ଟି କିଟ୍‌ ବ୍ୟବହାରକୁ ଅନୁମୋଦିତ କରିଛି। କୋରିଆ ସେଣ୍ଟର ଫର୍‌ ହିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସନ୍‌ ପକ୍ଷରୁ ମଧ୍ୟ ଏସବୁକୁ ସବୁଜ ସଙ୍କେତ ମିଳିସାରିଛି।

ମୋଟ ୪୨ଟି କମ୍ପାନୀ ପକ୍ଷରୁ ୬୪ଟି କିଟ୍‌ ପାଇଁ ଅନୁମୋଦନ ମଗାଯାଇଥିଲା। କୋରିଆ ସେଣ୍ଟର ଫର୍‌ ହିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍ସନ୍‌ ସେଥିମଧ୍ୟରୁ ୧୯ଟିକୁ ପରୀକ୍ଷଣ କରି ଏହି ୪ଟିକୁ ଅନୁମୋଦିତ କରିଛି। କୋରିଆରେ ଦେଶବ୍ୟାପୀ ଏହି ୪ଟି କିଟ୍‌କୁ ବ୍ୟବହାର କରାଯାଉଛି। ଗତ ସପ୍ତାହ ସୁଦ୍ଧା ପ୍ରାୟ ୩୦ ହଜାର କିଟ୍‌ରେ ପ୍ରାୟ ୧୦ ଲକ୍ଷରୁ ଅଧିକ ସନ୍ଦିଗ୍ଧଙ୍କର ପରୀକ୍ଷଣ କରାଯାଇଛି। ଗୋଟିଏ କିଟ୍‌ରେ ୨୫ରୁ ୫୦ ଜଣଙ୍କର ପରୀକ୍ଷା ହୋଇପାରୁଛି।

ଖୁବ୍‌ଶୀଘ୍ର ଏହା ଅନ୍ୟ ପ୍ରଭାବିତ ଦେଶରେ ମଧ୍ୟ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏହି କିଟ୍‌ ମିଳିଲେ ଅଧିକ ଲୋକଙ୍କର ତ୍ବରିତ ପରୀକ୍ଷଣ କରାଯାଇ ପାରିବ।

Comments are closed.