Odisha Link
Bridging the Missing Links in Odisha

ତାଳି ଆଳରେ ଭୁଲିଗଲେ ନିଷେଧାଜ୍ଞା, ୭ରୁ ଅଧିକ ଏକାଠି

ଭୁବନେଶ୍ବର: ଦେଶ ସାରା ଜନତା କର୍ଫ୍ୟୁ ପାଳିତ ହୋଇଛି। କରୋନା ଭୂତାଣୁକୁ ନେଇ ଜନତାଙ୍କ ମନରେ ଯେତିକି ଛନକା ତା ଠାରୁ ଅଧିକ ଉତ୍ସାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ଦେଶ ସାରା ଲୋକେ କର୍ଫ୍ୟୁକୁ କଡ଼ାକଡ଼ି ପାଳନ କରିଥିବା ଦେଖିବାକୁ ମିଳିଛି। ସଂଧ୍ୟାରେ ବହୁ ସଂଖ୍ୟାରେ ଲୋକ ଘର ବାହାରକୁ ଆସି କରୋନା ଲଢ଼େଇରେ ସାମିଲ ଜରୁରୀ ସେବାପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଥାଳି, ତାଳି, ଘଣ୍ଟ, ଘଣ୍ଟି, ଶଙ୍ଖ ବଜାଇ କୃତଜ୍ଞତା ପ୍ରକାଶ କରିଛନ୍ତ ଜନତା। ତେବେ ଓଡ଼ିଶା ସରକାରଙ୍କ ନିଷେଧାଦେଶ ଭୁଲି ବହୁ ସ୍ଥାନରେ ୭ରୁ ଅଧିକ ଲୋକ ଘର ବାହାରେ ଏକାଠି ହୋଇଥିବାର ଦେଖିବାକୁ ମିଳିଛି।

କେବଳ ସାଧାରଣ ଜନତା ନୁହଁନ୍ତି ନିଜର କୃତଜ୍ଞତା ଜଣାଇବାକୁ ଯାଇ ବହୁ ନେତା, ସେଲିବ୍ରିଟି ବି ରାଜ୍ୟରେ ଏହି ନିୟମକୁ ଫୁଃ କରିଦେଇଛନ୍ତି। ଆପାର୍ଟମେଣ୍ଟ୍‌ କମ୍ପ‌୍ଲେକ୍ସଗୁଡ଼ିକରେ ଲୋକେ ବାଲକୋନୀରୁ କୃତଜ୍ଞକା ଜ୍ଞାପନ କରିଥିଲେ ବି କେତେକ ସ୍ଥାନରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଲୋକେ ଆପାର୍ଟମେଣ୍ଟ ବାହାରକୁ ଆସି ଏକତ୍ରିତ ହୋଇ କୃତଜ୍ଞତା ଜଣାଇଛନ୍ତି। ଆବାସିକ ଅଞ୍ଚଳ, ବସ୍ତି, କେତେକ ସେଲିବ୍ରିଟିଙ୍କ ଘର ଓ ନେତାଙ୍କ ଘରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ତାଳି ବା ଥାଳିବାଦନ କରିବାର ଦୃଶ୍ୟ ସାମନାକୁ ଆସିଛି। ଏପରିକି କେତେକ ସ୍ଥାନରେ ଲୋକେ ରାସ୍ତାକୁ ଆସି ଶୋଭାଯାତ୍ରା କରିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ତେବେ ଲୋକସେବା ଭବନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଳି ମାରିବା ପାଇଁ ବାହାରେ ଏକତ୍ରିତ ହୋଇଥିଲେ ବି ପରସ୍ପର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିଥିଲେ।

Comments are closed.