Odisha Link
Bridging the Missing Links in Odisha

ମୋଦି ଠିକ କହିଲେ, ଜନତା ଭୁଲ ଶୁଣିଲେ

ଶୁଭ୍ରାଂଶୁ ପଣ୍ଡା

କରୋନା ଭୂତାଣୁ ବିଶ୍ବବ୍ୟାପୀ ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଭାରତରେ ମଧ୍ୟ ଧୀରେ ଧୀରେ ପ୍ରଭାବ ବଢ଼ାଉଛି। ଆମେରିକା ଭଳି ଚିକିତ୍ସା ସେବାରେ ଉନ୍ନତ ଦେଶର ଅବସ୍ଥା ଏବେ ଅସମ୍ଭାଳ ଆଡ଼କୁ ଗତି କରୁଥିବା ବେଳେ ଭାରତ ଭଳି ବୃହତ୍ତ ଗଣତନ୍ତ୍ରର ଅବସ୍ଥା ଏଥିରୁ ଅନୁମେୟ।

ଆମକୁ ଏହା ମାନିବାକୁ ହେବ ଯେ ଭାରତର ସ୍ବାସ୍ଥ୍ୟସେବା କ୍ଷେତ୍ର ବେଶ୍‌ ପଛୁଆ। ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସରକାରଙ୍କୁ ଦାୟୀ କରାଯାଇ ପାରିବନାହିଁ। ସ୍ବାଧୀନତା ପରଠାରୁ କଂଗ୍ରେସ ସରକାର ଠାରୁ ଆରମ୍ଭ କରି ଜନତା ଦଳ, ମେଣ୍ଟ ସରକାର ଦେଇ ଏବର ବିଜେପି ସରକାର ପର୍ଯ୍ୟନ୍ତ କେହି ବି ସ୍ବାସ୍ଥ୍ୟସେବାରେ ସୁଧାର ଆଣିପାରିନାହାନ୍ତି। ସ୍ବାସ୍ଥ୍ୟସେବା ଧୀରେ ଧୀରେ ଉନ୍ନତ ହେଉଛି ସତ। କିନ୍ତୁ ଅନ୍ୟ କ୍ଷେତ୍ର ସବୁରେ ଠେକୁଆ ମାର୍କା ଉନ୍ନତି ହେଉଥିବା ବେଳେ ସ୍ବାସ୍ଥ୍ୟକ୍ଷେତ୍ର ଏବେ ବି କଚ୍ଛପ ଗତିରେ ଚାଲୁଛି। ଏ କଥା ଦେଶ ଓ ରାଜ୍ୟର ସରକାରମାନେ ବେଶ୍‌ ଜାଣନ୍ତି। ତେଣୁ ସଚେତନତାକୁ ଅଧିକ ଗୁରୁତ୍ବ ଦିଆଯାଉଛି।

ସରକାରୀ ତଥ୍ୟ ଅନୁସାରେ ଦେଶରେ ପ୍ରତି ୧,୮୨୬ ଲୋକଙ୍କ ପାଇଁ ଗୋଟିଏ ଶଯ୍ୟା (ଡାକ୍ତରଖାନାରେ) ରହିଛି। ଦେଶରେ ପ୍ରତି ୮୪,୦୦୦ ଲୋକଙ୍କ ପାଇଁ ଗୋଟିଏ ଆଇସୋଲେସନ୍‌ ବେଡ୍‌ ରହିଛି, ଯାହା ସନ୍ଦିଗ୍ଧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଜରୁରୀ। ଅନୁରୂପ ଭାବେ ପ୍ରତି ୩୬,୦୦୦ ଲୋକଙ୍କ ପାଇଁ ଗୋଟିଏ କ୍ବାରାଣ୍ଟିନ୍‌ ବେଡ୍‌ ରହିଛି, ଯାହା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଲୋଡ଼ା।

ମାତ୍ର ୬ କୋଟି ଜନସଂଖ୍ୟା ବିଶିଷ୍ଟ ଇତାଲିରେ ଲୋକେ ପୋକମାଛି ଭଳି ମରୁଛନ୍ତି। ଇତାଲିରେ ୬୦,୦୦୦ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ଅନ୍ୟ କେତେକ ୟୁରୋପୀୟ ରାଷ୍ଟ୍ରରେ ବି ସ୍ଥିତି ବିଗିଡ଼ିବାକୁ ଯାଉଛି।

ଉନ୍ନତ ସ୍ବାସ୍ଥ୍ୟସେବ ସତ୍ତ୍ବେ ମାତ୍ର ୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରେ ଆଜି ସୁଦ୍ଧା ୧୪,୬୧୧ ଜଣ କରୋନା ଭୂତାଣୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ୪୧୯ ଜଣ ମୃତ୍ୟୁବରଣ କରିସାରିଲେଣି। ସର୍ବାଧିକ ଜନବହୁଳ ରାଜ୍ୟ କାଲିଫର୍ଣ୍ଣିଆ (ଯେଉଁଠି ସର୍ବାଧିକ ଓଡ଼ିଆ ମଧ୍ୟ ରହନ୍ତି) ସମେତ ଆମେରିକାର ବହୁ ଅଞ୍ଚଳ ଏବେ ଲକ୍‌ଡାଉନ୍‌ରେ।

ଆମେରିକା ତୁଳନାରେ ଭାରତର ସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି କୁହାଯାଇପାରେ। ପ୍ରାୟ ୧୪୦ କୋଟି ଲୋକଙ୍କ ଭାରତରେ ଆଜି ସୁଦ୍ଧା ୪୧୫ ଜଣଙ୍କ ଦେହରେ କରୋନା ଭୂତାଣୁ ଠାବ କରାଯାଇଥିବା ବେଳେ ୭ ଜଣଙ୍କ ପ୍ରାଣହାନି ହେଲାଣି। ଉପଯୁକ୍ତ ଓ ପର୍ଯ୍ୟାପ୍ତ ପରୀକ୍ଷଣ ସୁବିଧା ଉପଲବ୍ଧ ନ ଥିବା ହେତୁ ହୁଏତ ଅଜାଣତରେ ଅଧିକ ସଂକ୍ରମିତ ବ୍ୟକ୍ତି ରହିଥାଇପାରନ୍ତି ବୋଲି ଡାକ୍ତରମାନେ ସନ୍ଦେହ କରୁଛନ୍ତି। ଇତାଲି, ଆମେରିକା ଭଳି ଅତି ବିକଶିତ ଦେଶର ଅବସ୍ଥାକୁ ଦେଖିଲେ ଆମର ଲଢ଼େଇ ଶକ୍ତି ବେଶ୍‌ ଅନୁମେୟ।

ଏଭଳି ସମୟରେ ସଚେତନତା ହିଁ ଏକମାତ୍ର ଔଷଧ। ଲୋକଙ୍କୁ ପରସ୍ପର ଠାରୁ ଦୂରେଇ ରଖିବା ହିଁ ରୋଗ ସଂକ୍ରମଣର ଏକମାତ୍ର ବିକଳ୍ପ। ଏଥିପାଇଁ ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁମାନେ ଏଭଳି ବିପଦଜନକ ସ୍ଥିତିରେ ଘରଦ୍ବାର ଭୁଲି ଲୋକଙ୍କ ସେବା କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସଂଧ୍ୟାରେ ନିଜ ଘର ବାହାରେ ୫ ମିନିଟ୍‌ ପାଇଁ କୃତଜ୍ଞତା ଜ୍ଞାପନ ନିମନ୍ତେ ତାଳି, ଥାଳି ଆଉ ଘଣ୍ଟ ବାଡ଼େଇବା ଲାଗି ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ।

କିନ୍ତୁ ଅତି ଉତ୍ସାହିତ ଓ ଅଧା ବୁଝୁଥିବା ଅଥବା ସମ୍ପୂର୍ଣ୍ଣ ଅବୁଝା ଜନତା ମୋଦିଙ୍କ ଅସଲ ଆହ୍ବାନକୁ ଭୁଲି ୫ ମିନିଟ ଥାଳି ବାଡ଼େଇବାକୁ ଜାବୁଡ଼ି ଧରିଲେ। କିଛି ଲୋକ ଏହାର ବୈଜ୍ଞାନିକ କାରଣ ଖୋଜି ବସିଲେ, ଥୋକେ ଦେଶର ଅର୍ଥବ୍ୟବସ୍ଥା ଉପରେ ଚର୍ଚ୍ଚା ଆରମ୍ଭ କଲେ। ଅନ୍ଧ ସମାଲୋଚକଗଣ ଏହାକୁ ମୋଦିଙ୍କ ବିଫଳତା ଲୁଚାଇବାର ଏକ ଅସ୍ତ୍ର ବୋଲି କହି ପ୍ରତ୍ୟାଖ୍ୟାନ କରୁଥିବା ବେଳେ ଅନ୍ଧ ସମର୍ଥକଗଣ ଏହି ମଉକାରେ ଗୁଜବ ବାଣ୍ଟିବାରେ ଲାଗିଗଲେ। ଥାଳି ଓ ତାଳି ବାଡ଼େଇଲେ କରୋନା ଭୂତାଣୁ ଛାନିଆ ହୋଇ ଦେଶ ଛାଡ଼ି ଚାଲିଯିବ ବୋଲି ଥୋକେ ପ୍ରଚାର କଲେ। କରୋନା ଅସୁର ସନ୍ତୁଷ୍ଟି ପାଇଁ କେଉଁଠି ଯଜ୍ଞ ତ କେଉଁଠି ଗୋମୂତ୍ର ପାର୍ଟି ଦେଖିବାକୁ ମିଳିଲା। ଅତ୍ୟାଚାରୀଙ୍କ ପାଇଁ ଏହା ଆଲ୍ଲାଙ୍କର ଅଭିଶାପ ବୋଲି ଥୋକେ କହିବୁଲିଲେ ଓ ବାରଣ ସତ୍ତ୍ବେ ସମୁହ ପ୍ରାର୍ଥନା ପାଇଁ ଘରୁ ଗୋଡ଼ କାଢ଼ିଲେ। ଗତକାଲି ସଂଧ୍ୟାରେ ଅନେକ ସ୍ଥାନରେ ଲୋକେ ଖୋଳ, ଗିନି, ଝାଞ୍ଜ, ଗିନା, ତାଟିଆ ଧରି ରାସ୍ତାରେ ସମୁହ ସଂକୀର୍ତ୍ତନରେ ମାତିଲେ।

ମୋଦିଙ୍କର ଅସଲ ଆହ୍ବାନକୁ ଭୁଲି ଲୋକେ ‘ଜନତା କର୍ଫ୍ୟୁ’କୁ ‘କରୋନା ମହୋତ୍ସବ’ରେ ପରିଣତ କରିଦେଲେ।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ଥାଉ ବା ନ ଥାଉ, ବର୍ତ୍ତମାନ ସ୍ବୟଂ ସଚେତନତାର ବେଳ। କର୍ଫ୍ୟୁ ବଳବତ୍ତର ଥାଉ ବା ନ ଥାଉ ନିଜ ଉପରେ ନିଜେ ଏବେ କର୍ଫ୍ୟୁ ପ୍ରୟୋଗ କରିବାର ବେଳ। ସାଧାରଣ ଜନତା ଜାଗିଲେ, ଚେତିଲେ ହିଁ କରୋନା ସହ ଲଢ଼େଇ ସମ୍ଭବ। କରୋନା ପ୍ରଶମନର ଅନ୍ୟ କୌଣସି ଉପାୟ ନାହିଁ, ଔଷଧ ଏଯାଏଁ ଆବିଷ୍କୃତ ହୋଇନାହିଁ।

ସମସ୍ତେ ସଙ୍କଳ୍ପ ନେବା– ଅନ୍ଧ ସମର୍ଥକ ଓ ଅନ୍ଧ ସମାଲୋଚକଙ୍କ କଥା ଶୁଣିବାନାହିଁ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଦାୟିତ୍ବରେ ଥିବା ସରକାରୀ ଅଧିକାରୀ ଯାହା କହୁଛନ୍ତି ତାହାକୁ ଅନୁପାଳନ କରିବା। ସୋସିଆଲ ମିଡିଆରେ ଆସୁଥିବା ମିଛ ପ୍ରଚାର, ଅନ୍ଧବିଶ୍ବାସଭରା ଭିଡିଓ ବାର୍ତ୍ତା, ଉପଦେଶ ଶୁଣିବା ନାହିଁ। ଯେତେ ଦିନ ଯାଏଁ କରୋନାର ପ୍ରଭାବ ରହିଛି ସେ ଯାଏଁ ଶତ ଅସୁବିଧା ସତ୍ତ୍ବେ ଘରୁ ବାହାରିବା ନାହିଁ। ପାଖ ପଡ଼ୋଶୀରେ ଥିବା ଗରିବ ଲୋକଙ୍କୁ ଯଥା ସମ୍ଭବ ଖାଦ୍ୟ ଯୋଗାଇବା। ଆମର ଏକତା ଓ ଦୃଢ଼ ସଂକଳ୍ପ ହିଁ କରୋନାକୁ ତଡ଼ିପାର କରିପାରିବ।

Comments are closed.