Odisha Link
Bridging the Missing Links in Odisha

ନିଜାମୁଦ୍ଦିନ୍‌ କରୋନା ସଂକ୍ରମଣ: ୨୪ ପଜିଟିଭ୍, କ୍ବାରାଣ୍ଟିନ୍‌ରେ ୭୦୦, ଡାକ୍ତରଖାନାରେ ୩୩୪

ନୂଆଦିଲ୍ଲୀ: ହଜ୍‌ରତ୍‌ ନିଜାମୁଦ୍ଦିନ୍‌ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ମସ୍‌ଜିଦ୍‌ ଭିତରେ ୧୫୦୦ରୁ ୧୭୦୦ ବ୍ୟକ୍ତି ଥିବା ବେଳେ ଏଯାବତ୍‌ ୧୦୩୩ ଜଣଙ୍କୁ ସେଠାରୁ ବାହାର କରାଗଲାଣି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।

କରୋନା ଲକ୍ଷଣ ସନ୍ଦେହରେ ୩୩୪ ଜଣଙ୍କୁ ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କାରାଯାଇଥିବା କହିଛନ୍ତି ସତ୍ୟେନ୍ଦ୍ର। ଏମାନଙ୍କର ପରୀକ୍ଷଣ ଚାଲିଥିବା ବେଳେ ଏଯାଏଁ ୨୪ ଜଣଙ୍କ ଦେହରେ କରୋନା ଭୂତାଣୁ ପଜିଟିଭ୍‌ ଜଣାପଡ଼ିଛି। ଆଉ ପ୍ରାୟ ୭୦୦ ଜଣଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଥିବା ସେ କହିଛନ୍ତି।

ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀର ହଜ୍‌ରତ୍ ନିଜାମୁଦ୍ଦିନ୍‌ ଅଉଲିଆ ଦରଘାରେ ଏକ ଅନ୍ତର୍ଜାତୀୟ ଇସ୍‌ଲାମ୍‌ ଧର୍ମସଭା ଆୟୋଜିତ ହୋଇଥିଲା ଯେଉଁଠି ଭାରତ ସମେତ ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ, ସାଉଦି ଆରବ ଓ ଫିଲିପାଇନ୍ସ ଆଦି ବହୁ ଦେଶର ୮୦୦୦ରୁ ଅଧିକ ଇସ୍‌ଲାମ୍‌ ଶ୍ରଦ୍ଧାଳୁ ସମବେତ ହୋଇଥିଲେ। ତେବେ ତିନି ସପ୍ତାହ ପରେ ଏହି ସମାବେଶରେ ଭୟଙ୍କର କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି। ସମାବେଶରେ ଯୋଗଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୮୦୦ରୁ ଅଧିକ ବିଦେଶୀ ନାଗରିକ ଥିଲେ।

ଏହି ସମାବେଶରେ ଯୋଗ ଦେଇଥିବା ୧୦ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ମୃତ ୧୦ ଜଣଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ (ଫିଲିପାଇନ୍ସ) ଅଛନ୍ତି। ଅନ୍ୟ ୯ ଜଣ ଭାରତର। କେବଳ ତେଲେଙ୍ଗାନାରେ ୬ ଜଣ ଏହି ଦରଘାରୁ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି। ଜମ୍ମୁ କଶ୍ମୀରର ପ୍ରଥମ କରୋନା ମୃତକ ଏହି ସମାବେଶରୁ ଯାଇଥିବା ବେଳେ ୩ ପତ୍ନୀ ଓ ୨୦ ସନ୍ତାନଙ୍କୁ ଛାଡ଼ି ମୃତ୍ୟୁବରଣ କରିଥିବା କର୍ଣ୍ଣାଟକର ୬୫ ବର୍ଷୀୟ କରୋନା ଆକ୍ରାନ୍ତ ମଧ୍ୟ ଏହି ଧର୍ମସଭାରେ ଯୋଗ ଦେଇଥିଲେ। ତାମିଲନାଡ଼ୁରେ ମଧ୍ୟ ଜଣେ ଏହି କାରଣରୁ ମୃତ୍ୟୁବରଣ କରିଛନ୍ତି।

ନିଜାମୁଦ୍ଦିନ୍‌ର କରୋନା ସଂକ୍ରମଣ ଜଣାପଡ଼ିବା ପରେ ସରକାର ଓ ସ୍ଥାନୀୟ ପ୍ରଶାସନର ନିଦ ହଜିଯାଇଛି। ସାରା ଦେଶରୁ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିବାରୁ ସେମାନଙ୍କୁ ଠାବ କରିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ବାଦରେ ଜାଣିବା କାଠିକର ହୋଇପଡ଼ିଛି।

ଭାରତରେ ସରକାରୀ ତଥ୍ୟ ଅନୁସାରେ ଏଯାବତ୍‌ ୧୨୫୧ ଜଣ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.