Odisha Link
Bridging the Missing Links in Odisha

ଆଜି ୯ ମିନିଟ୍‌ ଅନ୍ଧାର, କରୋନା ମାୟାରେ ଭୁଲିଗଲେ ଆର୍ଥ ଆଓ୍ବାର

ଭୁବନେଶ୍ବର: କରୋନ ପାଇଁ ଲଢ଼େଇରେ ଆମର ଏକତା ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆଜି ସାରା ଦେଶ ୯ ମିନିଟ ପାଇଁ ବିଜୁଳି ଆଲୁଅ ବନ୍ଦ କରିବାକୁ ଯାଉଛି। ରାତି ୯ଟାରେ ଦେଶବାସୀ ଘରର ସମସ୍ତ ଆଲୋକ ବନ୍ଦ କରି ବାଲକୋନୀ ବା ଦରଜା ବାହାରକୁ ଆସି ଦୀପ, ମହମବତୀ ବା ମୋବାଇଲର ଫ୍ଲାସ୍‌ ଲାଇଟ୍‌ ଜଳାଇ କରୋନା ବିରୋଧରେ ନିଜର ଏକତା ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛନ୍ତି। ଅବଶ୍ୟ ଏ ୯ ମିନିଟ୍‌ ସମ୍ପୂର୍ଣ୍ଣ ଅନ୍ଧାର ହେବ ବୋଲି କହିବା ଭୁଲ ହେବ। କରୋନା ଲଢ଼େଇରେ ସାମିଲ ସମସ୍ତ ଅତ୍ୟାବଶ୍ୟକୀୟ ସେବା ଗୃହ(ଯଥା ଡାକ୍ତରଖାନା)ରେ ଆଲୋକ ଲିଭିବନାାହିଁ। ରାସ୍ତାରେ ସର୍ବସାଧାରଣ ବିଜୁଳିବତୀ ଲିଭିବନାହିଁ। ସମୟ ପ୍ରାଇମ୍‌ ଟାଇମ୍‌ ହୋଇଥିବାରୁ ଦୂରଦର୍ଶନ, ଘରୋଇ ଟିଭି ଷ୍ଟୁଡିଓରେ ମଧ୍ୟ ଆଲୋକ ଲିଭାଇବା ସମ୍ଭବ ହେବନାହିଁ। ଏମିତିରେ ଲୋକଙ୍କର ଘର ଭିତର ଆଲୁଅ ବନ୍ଦ ଥିଲେ ବି ଘର ବାହାରେ ମହମବତୀ, ଦୀପ ଓ ଫ୍ଲାସ୍‌ଲାଇଟ୍‌ର ଆଲୁଅ ଚତୁର୍ଦ୍ଦିଗର ଅନ୍ଧାର ଦୂରେଇବ।

ତେବେ ଏଇ କରୋନା ଲଢ଼େଇରେ ଏ ବର୍ଷ ଆମେ ଗୋଟିଏ ବିଶ୍ବବ୍ୟାପୀ ପାଳନକୁ ଭୁଲିଯାଇଛେ। ପ୍ରତିବର୍ଷ ଆର୍ଥ ଆଓ୍ବାର ନାମରେ ଗୋଟିଏ ଘଣ୍ଟା ସାରା ବିଶ୍ବରେ ଆଲୋକ ବନ୍ଦ ରହେ। ଏଥିରେ ଜନସାଧାରଣ ସ୍ବତଃ ଭାଗ ନେବା ସହ ବହୁ ଘରୋଇ ଅନୁଷ୍ଠାନ, ଏପରିକି ସରକାରୀ କାର୍ଯ୍ୟାଳୟ ମଧ୍ୟ ଭାଗ ନେଇଥାଆନ୍ତି। ଓଡ଼ିଶାରେ ବହୁ ସରକାରୀ କୋଠା ଓ ପର୍ଯ୍ୟଟନ ସ୍ଥଳି ବିଗତ ବର୍ଷ ମାନଙ୍କରେ ଆର୍ଥ ଆଓ୍ବାର ପାଳନ ବେଳେ ଅନ୍ଧାର କରାଯାଇଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପୃଥିବୀ ଏତେ ଅନ୍ଧାର ଦିଶେ ଯେ ମହାକାଶରୁ ମଧ୍ୟ ତାହା ବେଶ୍‌ ଠଉରେଇ ହୁଏ।

ମାର୍ଚ୍ଚ-ଏପ୍ରିଲ ମାସରେ ଗୋଟିଏ ପୂର୍ବ ସ୍ଥିରୀକୃତ ତାରିଖରେ ଆର୍ଥ ଆଓ୍ବାର ପାଳିତ ହୋଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୮ ତାରିଖରେ ପାଳନ ହେବ ବୋଲି ଆବାହକ ସଂସ୍ଥା ଓ୍ବାର୍ଲ ଓ୍ବାଇଡ୍‌ ଫଣ୍ଡ୍‌ ଫର୍‌ ନେଚର (WWF) ଘୋଷଣା କରିଥିଲା। ତେବେ ୨୦୦୭ ମସିହାରୁ ନିରବଛିନ୍ନ ଭାବେ ପାଳିତ ହୋଇ ଆସୁଥିବା ଏହି ଶକ୍ତିସଂରକ୍ଷଣ ବିଶ୍ବ ପର୍ବ ପ୍ରଥମ ଥର ପାଇଁ କରୋନା ଲଢ଼େଇ କାରଣରୁ ଏଥର ମାର୍ଚ୍ଚ ୨୮ରେ ପାଳିତ ହୋଇପାରିନାହିଁ। ପାଳିତ ହେବା ଦୂରର କଥା, ସଭିଏଁ ଏ ଦିନ ଓ ଆହ୍ବାନକୁ ଏଥର ଭୁଲିଯାଇଛନ୍ତି। କିଛି କିଛି ଦେଶରେ ଅବଶ୍ୟ ଏହାକୁ ପାଳନ କରିବା ପାଇଁ ଚେଷ୍ଟା କରାଯାଇଥିଲେ ବି ତାହା ସେତେ ପ୍ରଭାବୀ ନଥିଲା।

ମୁଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଦେଉଛି। ତେବେ ମୋ ମନକୁ ପ୍ରସ୍ତାବଟିଏ ଆସୁଥିଲା। ଆମେ ଆଦୌ ଆଲୋକ ନ ଜାଳି ୯ ମିନିଟର ଆର୍ଥ ଆଓ୍ବାର ପାଳିଥିଲେ ତାହା ଉଭୟ ପରିବେଶ, ଶକ୍ତି କ୍ଷେତ୍ର ପାଇଁ ଅନୁକୂଳ ହେବା ସହ ଦେଶରେ ଅନ୍ଧାରରେ ଆମକୁ ଏକତାର ବାର୍ତ୍ତା ଦେଇଥାଆନ୍ତା।

ସଂଜକୁ ଅପେକ୍ଷା। ଆଶା, ମାର୍ଚ୍ଚ ୨୨ରେ କିଛି ବୋକା ଯେଭଳି ତାଳି-ଥାଳି ବାଡ଼େଇ ରାସ୍ତାରେ ସମବେତ ସଂକୀର୍ତ୍ତନରେ ମାତିଥିଲେ, ଆଜି ସେ ସବୁର ପୁନରାବୃତ୍ତି ହେବନାହିଁ।

Comments are closed.