Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ କରୋନା ଅଡ଼ୁଆ, ରାଜ୍ୟପାଳଙ୍କ ଉପରେ ନଜର

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ଲାଗି ରହିଥିବା ପରିସ୍ଥିତିକୁ ନଜରରେ ରଖିଲେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ଉଦ୍ଧବ ଠାକରେଙ୍କ ପାଇଁ ସଙ୍କଟ ଦେଖାଯାଇଛି। ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପୂରିବାକୁ ଯାଉଥିବାରୁ ଏହା ମଧ୍ୟରେ ତାଙ୍କୁ ବିଧାନ ସଭା ବା ବିଧାନ ପରିଷଦ କୌଣସିଟିରେ ସଦସ୍ୟ ହେବାର ଆବଶ୍ୟକତା ରହିଛି। କାରଣ ଉଦ୍ଧବ ବର୍ତ୍ତମାନ ରାଜ୍ୟର ଉଭୟ ବିଧାନ ସଭା ଓ ବିଧାନ ପରିଷଦର ସଦସ୍ୟ ନାହାନ୍ତି। ମହାମାରୀ କରୋନା ପାଇଁ ରାଜ୍ୟରେ ହେବାକୁ ଥିବା ବିଧାନ ପରିଷଦ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି। ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମେ ୨୮ ପୂର୍ବରୁ ବିଧାନ ସଭା ବା ବିଧାନ ପରିଷଦର ସଦସ୍ୟ ହେବା ଆବଶ୍ୟକତା ରହିଛି।

ଆଇନ୍‌ କଣ କହୁଛି?
ଉଦ୍ଧବ ଠାକରେ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ। ସମ୍ବିଧାନର ଧାରା ୧୬୪ (୪) ଅନୁସାରେ, ଉଦ୍ଧବ ଠାକରେ ୬ମାସ ଭିତରେ ରାଜ୍ୟର ବିଧାନ ସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହବୋ ଜରୁରୀ ଅଟେ। ବର୍ତ୍ତମାନ ଉଦ୍ଧବ କୌଣସି ଗୃହର ସଦସ୍ୟ ନାହାନ୍ତି। ଉଦ୍ଧବଙ୍କୁ ମିଳିଥିବା ୬ମାସର ଅବଧି ମେ ୨୮ ତାରିଖରରେ ଶେଷ ହେବାକୁ ଯାଉଛି। ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମେ ୨୮ ପୂର୍ବରୁ ବିଧାନ ସଭା ବା ବିଧାନ ପରିଷଦର ସଦସ୍ୟ ହେବା ଆବଶ୍ୟକତା ରହିଛି।

କ’ଣ ରହିଛି ସମସ୍ୟା?
ଏପ୍ରିଲ ୨୪ରେ ମହାରାଷ୍ଟ୍ର ବିଧାନ ପରିଷଦରେ ୯ଟି ସିଟ୍‌ ଖାଲି ହେବାକୁ ଯାଉଛି। ଦ୍ବିବାର୍ଷିକ ନିର୍ବାଚନ ଦ୍ବାରା ଉଦ୍ଧବ ଠାକରେ ବିଧାନ ପରିଷଦକୁ ନିର୍ବାଚିତ ହେବାର ଥିଲା। ହେଲେ ମହାମାରୀ କରୋନା ଭାଇରସ୍‌ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାକୁ ନଜରରେ ରଖି ନିର୍ବାଚନ କମିଶନର ହେବାକୁ ଥିବା ସମସ୍ତ ନିର୍ବାଚନକୁ ସ୍ଥଗିତ ଘୋଷଣା କରିଛନ୍ତି।

ବିକଳ୍ପ କ’ଣ ଅଛି?
ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ଗୁରୁବାର ଏକ ସଂକଳ୍ପ ପାରିତ କରି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଅନୁରୋଧ କରିଛନ୍ତି ଉଦ୍ଧବଙ୍କୁ ବିଧାନ ପରିଷଦରେ ନିଯୁକ୍ତି ଦିଆଯାଉ। ଅର୍ଥାତ୍‌ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ବିଧାନ ପରିଷଦ ଯାଇ ପାରନ୍ତି ଉଦ୍ଧବ। ଯଦି ରାଜ୍ୟପାଳ ସରକାରଙ୍କ ଏହି ସଂକଳ୍ପକୁ ସୁପାରିଶ ଦିଅନ୍ତି ତେବେ ଉଦ୍ଧବ ଠାକରେ ବିଧାନ ପରିଷଦର ସଦସ୍ୟ ହୋଇ ପାରିବେ। ଏତଦ୍‌ବ୍ୟତୀତ ଉଦ୍ଧବଙ୍କ ପାଖରେ ୨ୟ ବିକଳ୍ପ ରହିଛି। ମୁଖ୍ୟମନ୍ତ୍ରୀ ଭାବେ ୬ ମାସ ପୁର୍ଣ୍ଣ ହେବା ପୂର୍ବରୁ ଉଦ୍ଧବ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ଏହାପରେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ଉଦ୍ଧବ। ଯାହାଫଳରେ ଉଦ୍ଧବଙ୍କୁ ଆଉ ଅତିିରିକ୍ତ ୬ ମାସ ମିଳିବ। ହେଲେ ଏଥିରେ ଏକ ସମସ୍ୟା ରହିଛି। ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତି ତେବେ ପୁରା ସମଗ୍ର କ୍ୟାବିନେଟର ଇସ୍ତଫାକୁ ବିଚାର କରାଯାଇପାରେ ଏବଂ ତା’ପରେ ପୁରା କ୍ୟାବିନେଟକୁ ପୁନର୍ବାର ଶପଥ ଗ୍ରହଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ମହା ବିକାଶ ଅଘାଡି ମେଣ୍ଟ ସରକାର ରହିଛି। ଏଥିରେ ଉଦ୍ଧବଙ୍କ ଶବିସେନା ସହ କଂଗ୍ରେସ ଏବଂ ଏନ୍‌ସିପି ସଦସ୍ୟ ରହିଛନ୍ତି। କରୋନା ଭାଇରସ୍‌ର କବଳରେ ସବୁଠାରୁ ଅଧିକ ପ୍ରଭାବିତ ଏହି ରାଜ୍ୟରେ ୧୩୬୪ କରୋନା ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ୧୦ ତାରିଖ ସକାଳ ସୁଦ୍ଧା ୯୭ ଜଣଙ୍କ ଜୀବନ ଗଲାଣି। ସମଗ୍ର ଭାରତରେ ୧୯୯ ଜଣଙ୍କର ଜୀବନ ଗଲାଣି।

Comments are closed.