Odisha Link
Bridging the Missing Links in Odisha

ଓଡ଼ିଶାରେ କରୋନା: ପୁଣି ସୁସ୍ଥ ହେଲେ ୩ , ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ଆଉ ୩ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା ୩ କରୋନା ଆକ୍ରାନ୍ତ ସମସ୍ତେ ଭୁବନେଶ୍ବର ଅଞ୍ଚଳର। ଆଜି ସେମାନଙ୍କ ରକ୍ତ ଓ ସ୍ୱାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୪ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଅପରପକ୍ଷେ ଆଜି ରାଜ୍ୟରେ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଁଞ୍ଚିଛି।

୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ୬୧ ନମ୍ବର କରୋନା ଆକ୍ରାନ୍ତ ବାଲେଶ୍ବର ଅଞ୍ଚଳର ଏବଂ  ସେ ୫୮ ବର୍ଷିୟ ପୁରୁଷ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ମହାମାରୀ କରୋନା ଭାଇରସରେ ଆଜି ସୁଦ୍ଧା ରାଜ୍ୟରେ ୬୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅପରପକ୍ଷେ କରୋନା ପାଇଁ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସୁସ୍ଥ ହୋଇଥିବା ୩ ଜଣଙ୍କୁ ମିଶାଇ କେବଳ ଭୁବନେଶ୍ୱରରେ ୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ମାତ୍ର ସେମାନେ ଭୁବନଶ୍ୱରର କେଉଁ ଅଞ୍ଚଳରେ ସେନେଇ ସ୍ୱାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇନାହିଁ।

Comments are closed.