Odisha Link
Bridging the Missing Links in Odisha

ଓଡ଼ିଶା ଫେରନ୍ତାଙ୍କ ପାଇଁ ଆଜିଠୁ ପଞ୍ଜିକରଣ, ପୋର୍ଟାଲ ଏବଂ ଫର୍ମ ଜରିଆରେ ହେବ ଆବେଦନ

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍। ୩ ମେ’ ପର୍ଯ୍ୟନ୍ତ ସାରାଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍ ହଟିବା ପରେ ଓଡ଼ିଶା ଫେରିବେ ବାହାରେ ଫସିଥିବା ଓଡ଼ିଆ।ଲକ୍‌ଡାଉନ୍‌ ପାଇଁ ରାଜ୍ୟ ବାହାରେ ଅନେକ ଶ୍ରମିକ ଫସିରହିଛନ୍ତି। ତେଣୁ ଓଡ଼ିଶା ବାହାରୁ ଓଡ଼ିଆଙ୍କୁ ଆଣିବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର।

ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ପାଇଁଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ। ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିବା ବେଳେ ଆଜିଠାରୁ ବିଧିବଦ୍ଧ ଏହି ପକ୍ରିୟା ଆରମ୍ଭ ହେବ।

ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକଙ୍କର ଆଜିଠୁ ଆରମ୍ଭ ହେବ ନାମ ପଞ୍ଜିକରଣ। ଉଭୟ ଅନ୍‌ଲାଇନ୍ ଓ ଅଫଲାଇନ୍‌ରେ ରେଜିଷ୍ଟ୍ରେସନ ପାଇଁ ବ୍ୟବସ୍ଥା ହୋଇଛି। ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ ସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ନା ଅନ୍ୟ କେଉଁ ଶ୍ରେଣୀର ସେ କଥା ବି ଜଣାଇବାକୁ ହେବ। ପଞ୍ଜିକରଣ ପରେ ଜିଲ୍ଲା ନୋଡାଲ ଅଧିକାରୀ ଅନଲାଇନ୍ ପୋର୍ଟାଲରେ ସବିଶେଷ ତଥ୍ୟ ଅପଲୋଡ୍ କରିବେ। ଏନେଇ ଗତକାଲି ରାଜ୍ୟ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ସବିଶେଷ ଆଲୋଚନା ହୋଇଛି।

ପଞ୍ଜିକରଣ ତଦାରଖ ପାଇଁ ସରପଞ୍ଚଙ୍କ ନେତୃତ୍ୱରେ ଏକ ୫ଜଣିଆ କମିଟି ରହିବ। ଯେଉଁଥିରେ ସରପଞ୍ଚଙ୍କ ସହ ପଞ୍ଚାୟତ ଏକ୍ସଟେନସନ୍ ଅଫିସର, ଗ୍ରାମ ରୋଜଗାର ସେବକଙ୍କ ସହ ୨ଜଣ ଶିକ୍ଷକ ରହିବେ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ସେପଟେ ଓଡ଼ିଶା ଫେରିବା ପୂର୍ବରୁ ସବୁ ଓଡ଼ିଆମାନଙ୍କ ଆଗୁଆ କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ଓଡ଼ିଶା ଫେରିବା ପାଇଁ ସେମାନଙ୍କୁ ପୋର୍ଟାଲରେ ପଂଜିକରଣ କରିବାକୁ ପଡ଼ିବ। ବିନା ପଞ୍ଜିକରଣରେ କୌଣସି ଶ୍ରମିକ ଓଡ଼ିଶା ଫେରିପାରିବେ ନାହିଁ। ବସଷ୍ଟାଣ୍ଡ/ରେଳ ଷ୍ଟେସନରୁ ଆଣିବା ପାଇଁ ଗାଡିର ବ୍ୟବସ୍ଥା କରାଯିବ। ନିଜ ଇଚ୍ଛା ଅନୁସାରେ ସେମାନେ ସିଧାସଳଖ ଘରକୁ ଯାଇ ପାରିବେ ନାହିଁ। ୧୪ ଦିନ ସେମାନଙ୍କୁ କ୍ୱାରେନଟିନ୍ ବା ସଂଗରୋଧରେ ରହିବାକୁ ପଡିବ।

ଗ୍ରାମ ପଞ୍ଚାୟତରେ କ୍ୱାରେନ୍ଟିନ୍ ହୋମ ପ୍ରସ୍ତୁତ ହୋଇଛି। ୧୪ ଦିନ ପାଇଁ ରହିବା, ଖାଇବା ଓ ଚିକିତ୍ସା ମାଗଣା ଯୋଗାଇ ଦିଆଯିବ। ପଞ୍ଜିକରଣରୁ କେଉଁ ଗ୍ରାମପଞ୍ଚାୟତକୁ କେତେଜଣ ଆସିବେ ଜଣାପଡିଯିବ। ତେବେ ଲକ୍‌ଡାଉନ୍ ହଟିବା ପରେ ପ୍ରାୟ ୫ ଲକ୍ଷ ଲୋକ ଓଡ଼ିଶା ଫେରିବା ନେଇ ଆଶା କରାଯାଉଛି।

Comments are closed.