୨ ଦିନ ପରେ ଖୋଲିବ ଲକ୍ଡାଉନ୍, ବଢ଼ୁଛି ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକରଣ

ଭୁବନେଶ୍ବର: ଆଉ ୨ଦିନ ପରେ ଖୋଲିବ ଲକ୍ଡାଉନ୍। ଏହାପୂର୍ବରୁ ବାହାର ରାଜ୍ୟରେ ରହଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ପଡ଼ୋଶୀ ରାଜ୍ୟ ସରକାରଙ୍କ ସହଯୋଗରେ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଆଣିବେ ରାଜ୍ୟ ସରକାର। ଗୁରୁବାର ୨୨୮ଜଣ ଓଡ଼ିଆ ଗଞ୍ଜାମ ଜିଲାରେ ଆସି ପହଞ୍ଚିଛନ୍ତି।
ତେବେ ଲକ୍ଡାଉନ୍ ଖୋଲିଲେ ଓଡ଼ିଶାକୁ ୫ଲକ୍ଷ ପ୍ରବାସୀ ଆସିବାପାଇଁ ସରକାର ଯେଉଁ ଆକଳନ କରିଥିଲେ ଏବେ ସେହି ସଂଖ୍ୟା ୨ଗୁଣରୁ ଅଧିକ ହୋଇ ସାରିଲାଣି। ସାଢ଼େ ୧୦ଲକ୍ଷ ପ୍ରବାସୀ ଓଡ଼ିଆ ଇତିମଧ୍ୟରେ ପୋର୍ଟାଲ ଜରିଆରେ ସରକାରଙ୍କୁ ଓଡ଼ିଶା ଫେରିବାପାଇଁ ପଞ୍ଜିକରଣ କରିଛନ୍ତି। ଯଦି ବାସ୍ତବରେ ସମସ୍ତେ ଆସିବେ ତେବେ କିଭଳି ସେମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ସେନେଇ ଗତକାଲି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ବୁଧବାର ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକର ସୂଚନା ଅନୁଯାୟୀ କେବଳ ତାମିଲନାଡୁରୁ ଓଡ଼ିଶା ଫେରିବାପାଇଁ ଦେଢ଼ଲକ୍ଷ ପ୍ରବାସୀ ସରକାରଙ୍କୁ ଆବେଦନ କରିଛନ୍ତି। ଏହାବାଦ୍ ସରକାରଙ୍କୁ ଯେତେସବୁ ଆବେଦନ ଆସିଛି ସେଥିମଧ୍ୟରୁ ୪ଲକ୍ଷ ୭୫ହଜାର କେବଳ ଶ୍ରମିକ ଶ୍ରେଣୀର। ଏମାନଙ୍କ ଛଡା ପର୍ଯ୍ୟଟକ, ଛାତ୍ରଛାତ୍ରୀ, କର୍ମଜୀବୀ ଓ ବୃତ୍ତିଧାରୀ ପ୍ରଭୃତି ବର୍ଗର ପ୍ରବାସୀ ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ନେଇ ଗୃହବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।