Odisha Link
Bridging the Missing Links in Odisha

ଶ୍ରମଶକ୍ତି ଜିନ୍ଦାବାଦ୍

ସବ୍ୟସାଚୀ ଅମିତାଭ

ପ୍ରତିବର୍ଷ ମଇ ମାସ ପ୍ରଥମ ଦିନଟିକୁ ସମଗ୍ର ବିଶ୍ୱରେ ମଇ ଦିବସ ବା ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ପାରିପାର୍ଶ୍ବିକ ପରିବେଶର ବିକାଶ ସାଧନ କରିବା ତଥା ଶ୍ରମର ଗୁଣାତ୍ମକ ଓ ମାନବିକ ମୂଲ୍ୟବୋଧଭିତ୍ତିକ ବିନିଯୋଗ, ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଆଭିମୁଖ୍ୟ ଅଟେ। ଶ୍ରମର ଗୁଣାତ୍ମକ ଓ ମାନବିକ ମୂଲ୍ୟବୋଧଭିତ୍ତିକ ବିନିଯୋଗ କହିଲେ, ଆମେ ସାଧାରଣତଃ ବୁଝିଥାଉ ଯେ, ୧. ଶ୍ରମିକମାନଙ୍କୁ ସ୍ୱାଧୀନତା ପ୍ରଦାନ, ୨. ନିର୍ଦ୍ଧାରିତ ସମୟସୀମା (୬ ରୁ ୮ ଘଣ୍ଟା) ମଧ୍ୟରେ ଶ୍ରମରେ ନିୟୋଜନ କରିବା, ୩. ଶିଶୁ ଶ୍ରମିକ ପ୍ରଥାର ବିଲୋପୀକରଣ, ୪. ଶ୍ରମିକମାନଙ୍କ ପାଇଁ ବୀମା ଓ ଭବିଷ୍ୟନିଧି ପାଣ୍ଠି ଯୋଜନାରେ ସାମିଲ କରିବା, ୫. ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗରେ ସାମିଲ କରିବା ଯଥା- ଶ୍ରମିକ ପରିଚୟ ପତ୍ର, କାରିଗର ପରିଚୟ ପତ୍ର, ସରକାରଙ୍କର ଋଣଛାଡ଼ ଯୋଜନା ସଂପର୍କରେ ଅବଗତ କରିବା, ୬. କଳକାରଖାନାର ମାଲିକମାନଙ୍କର ଶୋଷଣ ଓ କଷଣଠାରୁ ଶ୍ରମିକମାନଙ୍କୁ ଦୂରେଇ ରଖିବା ଓ ୭. ଶ୍ରମିକମାନଙ୍କର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ କରାଯିବା ଯେମିତି- ବଞ୍ଚିବାର ଅଧିକାର, ଶ୍ରମିକ ସଂଗଠନ ଗଠନ କରିବା, ସମାନତା ଅଧିକାର, ଶିକ୍ଷାଗତ ଅଧିକାର ଆଦି ଉପଲବ୍ଧ ହୋଇପାରିବ।

ଶ୍ରମିକ ଦିବସ ବା ମଇ ଦିବସ ହେଉଛି ସାରା ବିଶ୍ୱରେ ଏକ ଜଣାଶୁଣା ଦିବସ। ଏହି ଦିନ ଅଧିକାଂଶ ଦେଶର ବିଭିନ୍ନ ସହରମାନଙ୍କରେ ଲାଲ୍‌ ପତାକା ଫର୍‌ ଫର ହୋଇ ଉଡ଼ୁଥିବାର ଦେଖିବାକୁ ମିଳେ। ଏହି ଲାଲ୍‌ ପତାକା ଆମର ମାନସ ପଟ୍ଟରେ ଅନେକ ଆଶା, ଅସୁମାରୀ ଭାବନା ଓ ଚେତନା ସୃଷ୍ଟି କରିଥାଏ। ଏହା ଆମକୁ ଚେତାଇ ଥାଏ ଯେ, ହେ ସମଗ୍ର ବିଶ୍ୱବାସୀ! ତୁମେମାନେ ସେହି ସରଳ, ନିରୀହ, ନିଷ୍କପଟ ଶ୍ରମିକମାନଙ୍କୁ ଥରେ ଦୃଷ୍ଟି ଦିଅ, ଯେଉଁମାନେ କି ନିଜର ରକ୍ତକୁ ପାଣିକରି ଦିନରାତି ଅନିଦ୍ରା ରହି କଠିନ ପରିଶ୍ରମ କରି ମର୍ତ୍ତ୍ୟରେ ସ୍ୱର୍ଗ ସୃଷ୍ଟି କରିଥାନ୍ତି। ଆମେ ଦ୍ୱିଧାହୀନ ତଥା ନିଃସନ୍ଦେହରେ କହିପାରିବା ଯେ, ସେହି ମେହେନତୀ ମନୁଷ୍ୟ ଆମର ଚିର ନମସ୍ୟ। ଆମେ ସମସ୍ତେ ସେହି ଶ୍ରମିକମାନଙ୍କୁ ହୃଦୟର ଗଭୀରତମ ପ୍ରଦେଶରେ ସ୍ଥାନ ଦେବା ସହିତ ସେମାନଙ୍କୁ ବିନମ୍ର ପ୍ରଣିପାତ କରିବା ଉଚିତ। ଜାତୀୟ ସ୍ତରରେ ହେଉ ବା ଆନ୍ତର୍ଜାତିକ ସ୍ତରରେ ହେଉ ଆମେ କେତେକ ଐତିହାସିକ ପବିତ୍ର ଦିବସ ପାଳନ କରିଥାଉ। ଶ୍ରମିକ ଦିବସ ସଂପ୍ରତି ଜାତିସଂଘ ଦ୍ୱାରା ସମଗ୍ର ବିଶ୍ୱରେ ପ୍ରାୟ ୧୯୭ଟି ଦେଶ ସ୍ୱୀକୃତି ଲାଭ କରିଅଛି। ତନ୍ମଧ୍ୟରୁ ଏହି ମଇ ଦିବସ ବା ଶ୍ରମିକ ଦିବସ ବିଶ୍ୱର ପ୍ରାୟ ୮୦ଟି ଦେଶରେ ପାଳନ କରାଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକ ଆନ୍ଦୋଳନ ତଥା ଶ୍ରମିକମାନଙ୍କର ଅଧିକାରକୁ ଉଜ୍ଜୀବିତ କରି ରଖିବା।

ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଆମେରିକାର ଶ୍ରମିକମାନେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କାମ କରୁଥିଲେ। ୧୮୨୦ ଓ ୧୮୩୦ ମସିହାରେ ୧୦ ଘଣ୍ଟା କାର୍ଯ୍ୟସମୟ ନିର୍ଘଣ୍ଟ ପାଇଁ ପ୍ରସ୍ତାବ ଦିଆଗଲା। ବିଶ୍ୱର ପ୍ରଥମ ଟ୍ରେଡ୍‌ ୟୁନିୟନର ମାନ୍ୟତା ଲାଭ କରିଥିବା ଫିଲାଡ଼େଲଫିଆର ମେକାନିକ୍‌ ୟୁନିୟନ୍‌ ୧୮୨୬ ମସିହାରେ ୧୦ ଘଣ୍ଟା କାମ ପାଇଁ ଦାବି କଲା। ଏହି ଦାବିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଭ୍ୟାନ୍‌ ବୁରେନ୍‌ ସରକାରୀ ପ୍ରତିଷ୍ଠାନରେ ଶ୍ରମିକମାନେ ଦିନକୁ ୧୦ ଘଣ୍ଟା କାମ କରିବା ପାଇଁ ଆଇନ୍‌ କଲେ। କିନ୍ତୁ କଳକାରଖାନାରେ ୧୦ ଘଣ୍ଟା କାର୍ଯ୍ୟ ସମୟ ପାଇଁ ଶ୍ରମିକମାନଙ୍କୁ ଆହୁରି ୧୦/୧୨ ବର୍ଷ ଧରି ଆନ୍ଦୋଳନ କରିବାକୁ ହେଲା। ୮ ଘଣ୍ଟା କାର୍ଯ୍ୟସମୟ ନିର୍ଘଣ୍ଟ ପାଇଁ ଆନ୍ଦୋଳନ ମଇ ଦିବସକୁ ଜନ୍ମ ଦେଇଥିଲା। ଆମେରିକାର ଶ୍ରମିକ ଶ୍ରେଣୀ ୮ ଘଣ୍ଟା କାର୍ଯ୍ୟସମୟ ଦାବି ହାସଲ କରିବା ପାଇଁ ଯେପରି ବଦ୍ଧପରିକର ଥିଲେ। ମଇ ପହିଲା ୧୮୮୬ ମସିହାରେ ଶ୍ରମିକମାନେ ଏକଜଟୁ ‌ହେବା ଲାଗି ମନସ୍ଥିର କଲେ। ଶ୍ରମିକମାନଂକର ଶୋଭାଯାତ୍ରା ଚିକାଗୋ ସହରର ଗଳିକନ୍ଦି ପୂର୍ଣ୍ଣ ହୋଇଗଲା। ଶ୍ରମିକନେତା ଆଲବର୍ଟ ଆର ପାର୍ସନ ଓ ଅଗଷ୍ଟ ସ୍ପାଇସ୍‌ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରା ଓ ସଭା ଶେଷ ହେଲା। ମାଲିକମାନେ ଓ ସରକାର ଚୁପ୍‌ ହୋଇ ବସି ରହିଲେ ନାହିଁ। ଶ୍ରମିକ ଆନ୍ଦୋଳନକୁ ଧ୍ୱଂସ କରିବା ପାଇଁ ସମସ୍ତ ପ୍ରକାର କୌଶଳ କଲେ। ମଇ ୧ ତାରିଖର ଶୋଭାଯାତ୍ରା ପରେ ମଇ ୩ ତାରିଖରେ ଚିକାଗୋର ଶିଳ୍ପପତିମାନେ ପାଲଟା ଆକ୍ରମଣ କଲେ। ମ୍ୟାକ୍‌ କରମିକ୍‌ ହାରଭେଣ୍ଟ ପ୍ଲାଣ୍ଟ୍‌ର ଧର୍ମଘଟକାରୀ ୩୦୦ ଶ୍ରମିକଙ୍କୁ ପୁଲିସ କର୍ଡନ ମଧ୍ୟରେ ରାସ୍ତା ଉପରକୁ ଅଣାଗଲା। ଏହାକୁ ପ୍ରତିରୋଧ କରିବା ପାଇଁ କାଠ କାରଖାନାମାନଙ୍କରୁ ଶ୍ରମିକମାନେ ଆସି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କଲେ। ପୁଲିସ୍ ନିରସ୍ତ୍ର ଶ୍ରମିକମାନଂକ ଉପରକୁ ଗୁଳି ଚାଳନା କରିବାରୁ ୬ ଜଣ ଶ୍ରମିକଂକ ମୃତ୍ୟୁ ହେଲା ଓ ଅନେକ କ୍ଷତାକ୍ତ ହେଲେ। ମଇ ୪ ତାରିଖରେ ଏହାର ପ୍ରତିବାଦ କରିବା ପାଇଁ “ହେ ମାର୍କେଟ” ସ୍କୋୟାରରେ ସଭା ହେଲା। ସଭା ସରିବା ବେଳକୁ ଜଣେ ଅଜ୍ଞାତ ବ୍ୟକ୍ତି ବୋମା ଫୋପାଡ଼ିବା ଫଳରେ ୭ ଜଣ ପୁଲିସ ଓ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହେଲା। ବହୁ ଲୋକ ଆହତ ହେଲେ। ପୁଲିସ ପକ୍ଷରୁ ସମବେତ ଜନତା ଉପରେ ନୃଶଂସ ଆକ୍ରମଣ ହେଲା। ଶ୍ରମିକଂକ ରକ୍ତରେ “ହେ ମାର୍କେଟ” ସ୍କୋୟାର ଲାଲ ହୋଇ ଉଠିଲା। ପୋଲିସ ବହୁ ଶ୍ରମିକମାନଙ୍କୁ ଧରିନେଲେ। ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ମିଛ ଓ ଗୁଜବ ସବୁ ପ୍ରଚାର କରାଗଲା। ଶ୍ରମିକ ନେତାଙ୍କ ବିରୁଦ୍ଧରେ ମିଥ୍ୟା ମୋକଦ୍ଦମା ରୁଜୁ କରାଯାଇ ସେମାନଂକୁ ଗିରଫ କରିନେଇଥିଲା ପୁଲିସ୍। ଗିରଫ ହୋଇଥିବା ଶ୍ରମିକ ନେତାଂକ ମଧ୍ୟରେ ଥିଲେ ଆଲବର୍ଟ ଆର ପାର୍ସନ, ଅଗଷ୍ଟ ସ୍ପାଇସ୍‌, ସାମଏୁଲ ଜେ ଫଲିଡ଼େନ,‌ ୟେଦେନ ସ୍ମାଓ୍ବାନ, ଅଡଲଫ୍ ଫିସର, ଜର୍ଜ ଏଙ୍ଗେଲିସ୍, ଲୁଇଲିଙ୍ଗ୍ ଓ ଓସ୍କାର ନିବେ। ଏମାନଙ୍କର ବିଚାର ହୋଇ ୭ ଜଣଙ୍କୁ ଫାଶୀ ଓ ନିକେଙ୍କୁ ୧୫ ବର୍ଷ ଜେଲ୍‌ ହେଲା। ଶ୍ରମିକ ଆନ୍ଦୋଳନକୁ ଦମନ କରିବା ପାଇଁ ଏହା ଥିଲା ସପରିକଳ୍ପିତ ଅତ୍ୟାଚାର। ଆମେରିକା ଶ୍ରମିକ ଶ୍ରେଣୀର ବୀରତ୍ୱପୂର୍ଣ୍ଣ ମଇ ଦିବସ ସଂଗ୍ରାମରେ ଅନୁପ୍ରାଣିତ ହୋଇ ୧୮୮୯ ଜୁଲାଇ ୧୪ ତାରିଖରେ ପ୍ୟାରିସଠାରେ ଅନୁଷ୍ଠିତ ଦ୍ୱିତୀୟ ଆନ୍ତର୍ଜାତିକରେ ୧୮୯୦ ମସିହା ମଇ ପହିଲାରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେଲେ। ସେହିଦିନଠାରୁ ବିଭିନ୍ନ ରାଷ୍ଟ୍ରରେ ଶ୍ରମିକ ଶ୍ରେଣୀ ମଇ ପହିଲାକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରୁଛି।

ଜଣେ ସାଧାରଣ ମନୁଷ୍ୟ ପରି ଆମର ବଞ୍ଚିବାର ଅଧିକାର ଅଛି, ଆମେ ବି ମଣିଷ। ଆମକୁ ମଣିଷ ପରି ବଞ୍ଚିବାକୁ ଦିଅ। ଆମ ପେଟକୁ ଦାନା ଦିଅ। ପିନ୍ଧିବାକୁ କନା ଦିଅ। ପଶୁପରି ଦିନରାତି ଆମକୁ ଖଟାଅ ନାହିଁ। ଖଟିବା (ପରିଶ୍ରମ କରିବା)ର ସମୟ ସୀମା ଧାର୍ଯ୍ୟ କର। ସପ୍ତାହରେ ଗୋଟିଏ ଦିନ ଆମକୁ ବିଶ୍ରାମ ଦିଅ। ଏମିତି କିଛି ଦାବି ନେଇ ଆରମ୍ଭ ହୋଇଥିବା ଶ୍ରମିକ ଆନ୍ଦୋଳନ ଆଜି ମେ ଡେରେ ପରିଣତ ହୋଇଛି। ସେହି କର୍ମଠ ମଣିଷମାନଙ୍କୁ ଆମେ ସଲାମ୍‌ କରିବା ଉଚିତ । କାରଣ ଏହି ଶ୍ରମିକମାନେ ହେଉଛନ୍ତି ସମାଜର ବାସ୍ତବ ତ୍ୟାଗୀ। ସେମାନେ ହେଉଛନ୍ତି ପ୍ରକୃତ ଯୋଗୀ (କର୍ମଠ ଓ ସ୍ୱାର୍ଥତ୍ୟାଗୀ) କିନ୍ତୁ ଭୋଗୀ ନୁହଁନ୍ତି। ସେମାନଙ୍କର ସୃଷ୍ଟି (କଳକାରଖାନାରେ କଠିନ ଶ୍ରମଦାନ ଓ କାରଖାନାର ବିଭିନ୍ନ ସାମଗ୍ରୀ ଉତ୍ପାଦନ) ହେଉଛି ଚିର, ସବୁଜ ଓ ଶାଶ୍ୱତ। ମନୁଷ୍ୟ ସମାଜକୁ ଶ୍ରମିକମାନଙ୍କର ଅବଦାନ ବାସ୍ତବିକ ଅତୁଳନୀୟ। ଏହା ଚିରସ୍ଥାୟୀ, କିନ୍ତୁ କ୍ଷଣସ୍ଥାୟୀ ନୁହେଁ। ମହାନ୍‌ କ୍ରାନ୍ତିକାରୀ ଲେଖକ କାର୍ଲ ମାର୍କସ୍‌ ତାଙ୍କର ପ୍ରସିଦ୍ଧ ପୁସ୍ତକ “ଦାସ କ୍ୟାପିଟାଲ”ରେ ସମାଜରେ ଶ୍ରମିକମାନଙ୍କର ମହାନ୍‌ ଅବଦାନ ସଂପର୍କରେ ବିଶ୍ୱବାସୀଙ୍କୁ ଅବଗତ କରାଇଥିଲେ। ଶ୍ରମିକ ଆନ୍ଦୋଳନର ମୁଖ୍ୟ ସ୍ଲୋଗାନ ହେଉଛି- “ଶ୍ରମିକ ଏକତା ଜିନ୍ଦାବାଦ”।

ଭାରତୀୟ ଶ୍ରମିକ ସଂଗଠନର ସୌଧ କହେ- ନ୍ୟାୟର ମଞ୍ଜିବୁଣ, ତୁମେ ଶାନ୍ତି ଓ ମୁକ୍ତି ପାଇବ। ଇତିହାସ ପୃଷ୍ଠାରେ ବିଭିନ୍ନ ଶ୍ରମିକ ଆନ୍ଦୋଳନ ମଧ୍ୟରୁ ଉଲ୍ଲେଖଯୋଗ୍ୟ ଆନ୍ଦୋଳନ ହେଉଛି ୧ ମଇ ୧୭୮୯ ମସିହାରେ ଫରାସୀ ରାଷ୍ଟ୍ର ବିପ୍ଳବ ସମୟରେ ଦେଖାଦେଇଥିବା ଶ୍ରମିକ ଆନ୍ଦୋଳନ। ସେହିପରି ୪ ଜୁଲାଇ ୧୭୭୬ ମସିହାରେ ଜର୍ଜ ୱାସିଂଟନ୍‌ଙ୍କ ନେତୃତ୍ୱରେ ଇଂରେଜମାନଙ୍କ ବିରୁଦ୍ଧରେ ଆମେରିକାର ୫୦ଟି ରାଜ୍ୟରେ ଶ୍ରମିକମାନଙ୍କର ବିକ୍ଷୋଭ ପରିଲକ୍ଷିତ ହୋଇଥିଲା। ଅପରପକ୍ଷରେ ୧୯୧୭ ମସିହା ସେପଟେମ୍ବର-ଅକ୍ଟୋବର ମାସରେ ସୋଭିଏତ୍‌ ରୁଷରେ ଦେଖାଦେଇଥିବା ବିପ୍ଳବ ବା ଋଷ ବିପ୍ଳବରେ ଶ୍ରମିକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଆନ୍ଦୋଳନ ସମଗ୍ର ବିଶ୍ୱରେ ଋଷ ବିପ୍ଳବ ବା ବଲ୍‌ସେଭିକ୍‌ ଆନ୍ଦୋଳନ (ବିପ୍ଳବ) ନାମରେ ଖ୍ୟାତ। ଋଷର ତତ୍‌କାଳୀନ ଶାସକ ଜାର୍‌ ଦ୍ୱିତୀୟ ନିକୋଲାସ୍‌ଙ୍କ ସମୟରେ ଏହି ବିପ୍ଳବ ଅନୁଷ୍ଠିତ ହୋଇଥିଲା। ଅବଶ୍ୟ ଋଷ ବିପ୍ଳବର ବହୁବର୍ଷ ପୂର୍ବରୁ ୧୯୦୫ ମସିହା ଜାନୁଆରୀ ମାସ ୫ ତାରିଖରେ (ରବିବାର) ଋଷରେ ଶ୍ରମିକମାନଙ୍କର ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ସେଥିରେ ହଜାର ହଜାର ଶ୍ରମିକ, ଜାର୍‌ ସୈନ୍ୟବାହିନୀର ଶିକାର ହୋଇଥିଲେ। ଏହାକୁ ରବିବାର ହତ୍ୟାକାଣ୍ଡ ବା Sunday Massacre କୁହାଯାଏ। ଋଷରେ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଲେନିନ୍‌, ଯଦିଓ ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଶ୍ରମିକମାନଙ୍କୁ ଏକଜୁଟ କରି, ସେମାନଙ୍କର ସଫଳ ନେତୃତ୍ୱ ନେଇଥିଲେ ଲେନିନ୍‌। ଲେନିନ୍‌ଙ୍କ ସଫଳ ନେତୃତ୍ୱ ଦ୍ୱାରା ଋଷର ଏକଛତ୍ରବାଦୀ ଶାସକ ଜାର୍‌ ଦ୍ୱିତୀୟ ନିକୋଲାସ୍‌ ଗାଦିଚ୍ୟୁତ ହୋଇଥିଲେ ଓ ଲେନିନ୍‌ ୧୯୧୭ ମସିହାରେ ଋଷର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ।

ଶ୍ରମିକ ସଂଗଠନ କାଳକ୍ରମେ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ଗଢ଼ି ଉଠିଥିଲା। ୧୮୬୭ ମସିହାରେ ଇଂଲଣ୍ଡରେ, ୧୯୦୧ ମସିହାରେ ହଲାଣ୍ଡରେ ଓ ୧୯୨୩ ମସିହାରେ ଭାରତରେ। ଭାରତରେ ଏହି ଦିବସ ପ୍ରଥମେ ୧୯୨୭ ମସିହା ମଇ ମାସ ୧ ତାରିଖ ଦିନ ଚେନ୍ନାଇ ସହରର ମାରିନା ସମୁଦ୍ର ଉପକୂଳ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରମିକ ଦିବସ ସୃଷ୍ଟି ହୁଏ ଶ୍ରମିକ ଆନ୍ଦୋଳନରୁ ଯାହାକୁ କେହି କେହି Labour Union Movement ବୋଲି କହନ୍ତି। ନିର୍ଦ୍ଦିଷ୍ଟ ଭାବରେ କହିବାକୁ ଗଲେ ଏହାକୁ Eight-hours day movement ବୋଲି କୁହାଯାଏ। ଏହାର ୩ଟି ପ୍ରମୁଖ ଆଭିମୁଖ୍ୟ ଥିଲା- (୧) ଶ୍ରମପାଇଁ ଆଠ ଘଣ୍ଟା, (୨) ଅବସର ବିନୋଦନ ପାଇଁ ଆଠ ଘଣ୍ଟା, (୩) ବିଶ୍ରାମ ପାଇଁ ଆଠ ଘଣ୍ଟା। ଶ୍ରମିକ ଦିବସ ଅବସରରେ ଉଡ଼ୁଥିବା ଲାଲ୍‌ ରଙ୍ଗର ପତାକା ବାମ ଆନ୍ଦୋଳନ ବା Left Movement, ଲାଲ୍ ଆନ୍ଦୋଳନ ବା Red Movementର ପ୍ରତୀକାତ୍ମକ ଭାବେ ବିଚାର କରାଯାଏ। ୧୯୨୩ ମସିହାରେ ଭାରତୀୟ ନେତୃବର୍ଗଂକ ଦ୍ୱାରା ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯେ, ମଇ ଦିବସ ବା ଶ୍ରମିକ ଦିସବକୁ ବ୍ରିଟିଶ୍‌ ସରକାର ଏକ ଛୁଟି ଦିବସ ରୂପେ ଘୋଷଣା କରାଯିବା ଉଚିତ।

ସଂପ୍ରତି ବିଶ୍ୱର ୮୦ରୁ ଅଧିକ ରାଷ୍ଟ୍ରରେ ମଇ ଦିବସ ବା ଶ୍ରମିକ ଦିବସ ପାଳନ କରାଯାଉଛି। ସେଥିମଧ୍ୟରୁ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ହେଲେ – ବୋଲିଭିଆ, ଭାରତ, ଚିଲି, ପେରୁ, ମେକ୍‌ସିକୋ, ଉରୁଗୁଏ, ବାହାରିନ୍‌, ବଙ୍ଗଳାଦେଶ, ଚୀନ୍‌, ଇସ୍ରାଏଲ, ଫିଲିପାଇନ୍ସ , ନେପାଳ ଏବଂ ପାକିସ୍ତାନ। ସଂକ୍ଷେପରେ କହିଲେ ସମଗ୍ର ବିଶ୍ୱରେ ଶ୍ରମିକମାନଙ୍କର ବିବିଧ ସମସ୍ୟାର ସମାଧାନ କରି, ସେମାନଙ୍କୁ ସମସ୍ତ ପ୍ରକାର ମୌଳିକ ଅଧିକାର ତଥା ମୌଳିକ ସୁବିଧାସୁଯୋଗ ଯୋଗାଇ ଦେଇ ଏକ ସୁଖ, ସମୃଦ୍ଧ ଶ୍ରମିକ ସମାଜ ଗଠନ କରିବା, ମଇ ଦିବସ ବା ଶ୍ରମିକ ଦିବସର ମୁଖ୍ୟ ଲକ୍ଷ୍ୟ ହେବା ଦରକାର। ବର୍ତ୍ତମାନ ସମୟରେ ଅଧିକାଂଶ ଦେଶ କରୋନା ଭୂତାଣୁ ଜନିତ ପରିସ୍ଥିତିର ସମାନା କରୁଥିବାରୁ ଶ୍ରମିକ ଦିବସର ଗୁରୁତ୍ବ ବଢିଯାଇଛି କହିଲେ ଭୁଲ୍ ହେବନି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଶ୍ରମିକମାନେ ରୋଜଗାର ହରାଇବାର ପରିସ୍ଥିତିର ଆଭାସ ମିଳିଲାଣି। ତେଣୁ ରାଷ୍ଟ୍ରନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶ୍ରମିକଂକ ବିକାଶ ଓ ହିତ ପାଇଁ ସରକାର ଯୋଜନାବଦ୍ଧ ପଦକ୍ଷେପ ହାତକୁ ନେଲେ ଶ୍ରମଶକ୍ତିକୁ ପୁଣିଥରେ ଆଗକୁ ବଢିବା ପାଇଁ ସାହସ ଓ ଶକ୍ତି ଯୁଟାଇପାରିବ।

Comments are closed.