Odisha Link
Bridging the Missing Links in Odisha

୨ ଦିନ ପାଇଁ ସିଲ‌୍‌ ହେଲା ଏୟାର ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ସିଲ୍‌ ହେଲା ଦିଲ୍ଲୀରେ ଥିବା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ। କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଦୁଇଦିନ ପାଇଁ ସିଲ୍‌ କରାଯାଇଛି। ସାନିଟାଇଜେସନ୍‌ କରିବା ପାଇଁ ଦୁଇଦିନ ମଙ୍ଗଳବାର ଓ ବୁଧବାର ଏୟାର୍‌ ଇଣ୍ଡିଆ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁଦ୍ୱାରା ରକାବ୍‌ଗଞ୍ଜ ରୋଡ୍‌ ବିଲ୍‌ଡିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀ ଜଣଙ୍କଠାରେ ସୋମବାର ସନ୍ଧ୍ୟାରେ କୋଭିଡ୍‌-୧୯ ପଜିଟିଭ ଥିବା ଜଣା ପଡ଼ିଥିଲା। ଏହାର ଦିନକ ପୂର୍ବରୁ ୫ ପାଇଲଟ୍‌ଙ୍କ ମଧ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କର ଟେଷ୍ଟ ହେବା ପରେ ସେମାନଙ୍କର ନେଗେଟିଭ୍‌ ରିପୋର୍ଟ ଆସିଥିଲା ବୋଲି ପିଟିଆଇ ରିପୋର୍ଟ ପ୍ରକାଶ କରିଛି। ଏମାନେ ସମସ୍ତେ ବୋଇଁ ୭୮୭ ବିମାନ ଉଡ଼ାଉଥିଲେ।

ସୂଚନାନୁସାରେ, ରବିବାର ଏହି ପାଇଲଟମାନଙ୍କୁ ଜଣେ ପରେ ଜଣେ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରେ ୫ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। କିନ୍ତୁ ଟେଷ୍ଟିଂ କିଟ୍‌ରେ ତ୍ରୁଟି ଥିବା ନେଇ ସନ୍ଦେହ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟେଷ୍ଟ କରାଯାଇଥିଲା। ଯାହାର ରିପୋର୍ଟ ନେଗେଟିଭ୍‌ ଆସିଥିଲା ବୋଲି ସୂଚନା ମିଳିଛି।

Comments are closed.