Odisha Link
Bridging the Missing Links in Odisha

ଓଡ଼ିଶାରେ ଘୂର୍ଣ୍ଣିଝଡ଼ ସମ୍ଭାବନା: ସୋଆ ପରିବେଶ ଓ ଜୟବାୟୁ କେନ୍ଦ୍ର

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ’ ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଯଦିଓ ଏହି ଲଘୁଚାପ ଆସନ୍ତା କାଲି ସୁଦ୍ଧା ଦାନା ବାନ୍ଧିବାର ସମ୍ଭାବନା ରହିଛି ତେବେ ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟ ଗୁଡିକରେ ହାଇ ନର୍ଥ ୱେଷ୍ଟରଲି ଅପର ଆଟମୋସଫେରିକ ଉଇଣ୍ଡର ପ୍ରଭାବ ଯୋଗୁ ଏହାର ଘନୀଭୂତ ହେବା ପ୍ରକ୍ରିୟା ସମୟ ସାପେକ୍ଷ ହେବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ତାମିଲ୍‌ନାଡୁ ଉପକୂଳରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାବେଳେ ମେ’ ୧୬ ତାରିଖ ରାତିରୁ ଏହି ପ୍ରକ୍ରିୟା ତୀବ୍ର ହେବ ବୋଲି ସେ କହିଛନ୍ତି। ତେବେ ଏ ନେଇ ସ୍ପଷ୍ଟ ଚିତ୍ର ମେ ୧୫ ତାରିଖ ସୁଦ୍ଧା ଜଣାପଡ଼ିବ ବୋଲି ଶ୍ରୀ ସାହୁ କହିଛନ୍ତି।

ବଙ୍ଗୋପସାଗରରେ ଏହା ଘନୀଭୂତ ହେଉଥିବା ବେଳେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ମେ ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ ଏବଂ ମେ’ ୧୯ କିମ୍ବା ୨୦ ତାରିଖ ବେଳକୁ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳର ନିକଟବର୍ତୀ ହେବ ବୋଲି ଜଣାପଡ଼ିଛି। ଏହି ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବ ନାହିଁ ବୋଲି ସେ କହିଛନ୍ତି। କାରଣ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏହିର ସମ୍ଭାବନା ଦୃଢ଼ୀଭୂତ ହୋଇଛିି।

ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୪ ଘଂଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି। ତେବେ ଦିନର ତାପମାତ୍ରା ୩୫ ରୁ ୪୦ ଡ଼ିଗ୍ରୀ ରହିବାର ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମେ ୧୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୂଇଁପାରେ ବୋଲି ଜଣାପଡ଼ିଛି। ମେ ୧୬ ତାରିଖ ପରେ ରାଜ୍ୟରେ ଅସ୍ୱସ୍ତିିକର ପାଣିପାଗ ସୃଷ୍ଟି ହେବାର ସମ୍ଭାବନା ଥିବାବେଳେ ମେ ୧୮ ରୁ ୨୦ ମଧ୍ୟରେ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ଜାରି ରହିପାରେ ବୋଲି ସେ କହିଛନ୍ତି।

Comments are closed.