Odisha Link
Bridging the Missing Links in Odisha

ଏସ୍‌ସିବିକୁ ଶରୀର ଦେଇଛନ୍ତି ଭବାନୀ, କାହାକୁ ନେଇ ଶେଷକୃତ୍ୟ କରିବେ ସରକାର?

ଭୁବନେଶ୍ବର: ବିଶିଷ୍ଟ ଗାନ୍ଧିବାଦୀ, ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଆଜି ଦେହାନ୍ତ ହୋଇଯାଇଛି। ଆସନ୍ତାକାଲି ତାଙ୍କର ଜନ୍ମମାଟି ନିମାପଡ଼ାରେ ସମ୍ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି। ତେବେ ଚଳିତ ମାସ ୧୧ ତାରିଖରେ ୯୯ତମ ଜନ୍ମଦିନ ଅବସରରେ ନିଜର ଅଙ୍ଗଦାନ ଘୋଷଣା କରିଥିଲେ ଭବାନୀଚରଣ। ମ୍ୟତ୍ୟୁପରେ ସେ ନିଜର ସମ୍ପୂର୍ଣ୍ଣ ଶରୀର କଟକର ଏସ୍‌ସିବି ମେଡିକାଲ କଲେଜକୁ ଦାନ କରିବାକୁ ଇଚ୍ଛାପ୍ରକଟ କରିଥିଲେ। ଏଭଳି କ୍ଷେତ୍ରରେ ଆସନ୍ତାକାଲି କେଉଁ ଆଧାରରେ ତାଭ୍କର ଶେଷକୃତ୍ୟ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଅଥବା ସରକାର ସାଂକେତିକ ଭାବେ ତାଙ୍କ ଶରୀରକୁ ନ ନେଇ କେବଳ ସମ୍ମାନ ପ୍ରଦର୍ଶନ କରିପାରିବେ ବୋଲି କେହି କେହି ମତ ଦେଇଛନ୍ତି।

୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି। ଦୁଇଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାରେଅବନତି ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି।

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ୧୯୨୨ ମସିହା ମଇ ୧୧ ତାରିଖରେ ପୁରୀ ଜିଲ୍ଲାର ନିମାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିବା ଶ୍ରୀ ପଟ୍ଟନାୟକ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୪୨ ମସିହାରେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ବିଜୁ ପଟ୍ଟନାୟକଙ୍କର ଜଣେ ଅନ୍ତରଙ୍ଗ ସହଯୋଗୀ ଭାବେ କରିଥିବା ଭବାନୀଚରଣ ୧୯୬୧, ୧୯୬୬ ଏବଂ ୧୯୭୮ ମସିହାରେ ୩ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି। ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସୋମବାର ଦିନ ତାଙ୍କର ୯୯ ତମ ଜନ୍ମ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ ଭବାନୀଶଙ୍କରଙ୍କ ବାସଭବନରେ ପହଞ୍ଚିଥିଲେ। ଏ ଅବସରରେ ସେ ଅଙ୍ଗଦାନ କରିବେ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ପରେ ତାଙ୍କ ଶରୀର ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟକୁ ଦାନ କରିବେ ବୋଲି ସେ ଜଣାଇଥିଲେ।

ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।

Comments are closed.