Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ନିର୍ଦ୍ବନ୍ଦ୍ବରେ ବିଧାନ ପରିଷଦକୁ ନିର୍ବାଚିତ ହେଲେ ଉଦ୍ଧବ

ମୁମ୍ବାଇ: ନିର୍ଦ୍ବନ୍ଦ୍ବରେ ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ୮ଜଣ ପ୍ରାର୍ଥୀ। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍‌ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍‌, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍‌କେ ଏବଂ ରମେଶ କରଦ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିଚ ହୋଇଛନ୍ତି। ତାଙ୍କ ସହିତ ଏନ୍‌ସିପିର ଶଶିକାନ୍ତ ସିନ୍ଦେ ଏବଂ ଅମୋଲ୍ ମିତକାରୀ ଏବଂ କଂଗ୍ରେସର ରାଜେଶ ରାଠୋଡ୍ ମଧ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତ ଏପ୍ରିଲ ୨୪ରେ ଖାଲି ପଡ଼ିଥିବା ନଅଟି ଆସନ ପାଇଁ ଏମାନେ ସମସ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।

ଗତକାଲି ଦିନ ୩ଟା ପରେ ନାମାଙ୍କନ ଦାଖଲ କରିବାର ସମୟସୀମା ସରିଯାଇଥିଲା। ଏହାର ଠିକ୍ ପରେ ଏହି ୮ ଜଣଙ୍କୁ ବିଜୟୀ ଘୋଷଣା କରିଥିଲା ନିର୍ବାଚନ କମିଶନ।ପ୍ରକାଶ ଥାଉକି, କରୋନା ଭାଇରସ୍‌ ପାଇଁ ନିର୍ବାଚନ କମିଶନ ରାଜ୍ୟରେ ଖାଲିଥିବା ଏହି ୯ ବିଧାନ ପରିଷଦ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ଏହାପରେ ଉଦ୍ଧବଙ୍କ ଗାଦି ଯିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା।

୨୦୧୯ ନଭେମ୍ବର ୨୮ ତାରିଖରେ ୫୯ ବର୍ଷୀୟ ମହାରାଷ୍ଚ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପରେ ତାଙ୍କୁ ବିଧାନସଭାରେ ସଦସ୍ୟ ହେବାକୁ ପଡ଼ିବ। ନହେଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ତେବେ ଆଜିର ବିଜୟ ପରେ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରୀ ଆସନ ନିଷ୍କଣ୍ଟକ ହୋଇଛି। ଏପ୍ରିଲ ୯ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବିଧାନ ପରିଷଦ ପ୍ରାର୍ଥୀ ଭାବେ ଉଦ୍ଧବଙ୍କ ନାଁ ସୁପାରିଶ କରିଥିଲା।

Comments are closed.