Odisha Link
Bridging the Missing Links in Odisha

ନିରଞ୍ଜନଙ୍କ ଟାର୍ଗେଟରେ ରାଜ୍ୟ ସରକାର, କହିଲେ ମାଛ ତେଲରେ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ସମୟରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସୁଛନ୍ତି। ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ପ୍ରବାସୀ ଶ୍ରମିକ ମାନେ ଯେଉଁ ରାଜ୍ୟରୁ ଫେରୁଛନ୍ତି, ଯଦି ସେଠାକାର ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ନ ‌ଦେବେ, ତେବେ ଓଡ଼ିଶା ସରକାର ଏହି ଖର୍ଚ୍ଚ ବହନ କରିବେ ବୋଲି ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଶ୍ରମିକମାନେ ଫେରିଲା ପରେ ଏଠାରେ ବାଧ୍ୟତାମୂଳକ ସଙ୍ଗରୋଧରେ ରହିବାର ବ୍ୟବସ୍ଥା କରାଯାଇଛି। ସଙ୍ଗରୋଧ ପରେ ପ୍ରବାସୀଙ୍କୁ ମିଳିବାକୁ ଥିବା ୨୦୦୦ ଟଙ୍କାର ପ୍ରୋତ୍ସାହନ ରାଶିରୁ ଏହି ଟିକେଟ୍‌ ଭଡ଼ା ସରକାର କାଟି ନେବେ। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ମାଛ ତେଲରେ ମାଛ ଭାଜୁଛନ୍ତି ରାଜ୍ୟ ସରକାର। ଯେଉଁ ୨୦୦୦ ଟଙ୍କା ପ୍ରବାସୀ ଶ୍ରମକଙ୍କୁ କ୍ବାରାଣ୍ଟିନ୍ ପରେ ଦେବା କଥା କହିଲେ ତାକୁ ଏବେ ସେମାନଙ୍କ ଟ୍ରେନ ଟିକେଟ ବାବଦ ଖର୍ଚ୍ଚରୁ କାଟିବାର ନିଷ୍ପତ୍ତି ନେଇଛନ୍ତି। ଏହା କଣ ପ୍ରବାସୀ ଶ୍ରମିକଙ୍କ ପାଇଁ ସରକାରଙ୍କ ଦରଦ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ନିରଞ୍ଜନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ବାତ୍ୟା ଆସୁଛି। ସରକାର କହୁଛନ୍ତି ସବୁ ବ୍ୟବସ୍ଥା କରିଛନ୍ତି। ହେଲେ ତଳିଆ ଅଞ୍ଚଳ ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରନ୍ତୁ। ପଶ୍ଚିମ ଓଡ଼ିଶାରେ ସର୍ବାଧିକ ପ୍ରବାସୀ ଶ୍ରମିକ ଆସିବାର ସମ୍ଭାବନା ଅଛି। ହେଲେ ସେଠାରେ କୋରୋନା ପରୀକ୍ଷଣ ବ୍ୟବସ୍ଥା ନାହିଁ। ତୁରନ୍ତ ଏହା କରନ୍ତୁ ସରକାର ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ

Comments are closed.