ଲକ୍ଡାଉନ୍ : ବଢ଼ୁଛି ଯୁବ ବେକାରଙ୍କ ସଂଖ୍ୟା

୬ ଜଣରେ ଜଣେ ବେକାର: ଆଇଏଲ୍ଓ
ଓଏଲ୍ ବ୍ୟୁରୋ: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବକୁ ଚିନ୍ତାରେ ପକାଇଛି। କରୋନା ଭାଇରସ୍ ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ହେଲେ ସବୁଠୁ ବଡ଼ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ମିିଳିଛି। କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ବ୍ୟାପକ ନିଯୁକ୍ତି ହ୍ରାସ ହେଉଥିବା ବେଳେ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଦ୍ବାରା ଯୁବପିଢ଼ି ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଏବେ ୨୯ ବର୍ଷରୁ କମ୍ ବୟସର ପ୍ରତି ୬ ଜଣ ଯୁବକ ଯୁବତୀଙ୍କ ମଧ୍ୟରୁ ଜଣେ କାର୍ଯ୍ୟ କରିବା ବନ୍ଦ କରିଦେଇଛନ୍ତି ବୋଲି ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) କହିଛି।
ଆଇଏଲ୍ଓ କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, କରୋନା ସଙ୍କଟ ଯୁବପିଢ଼ିଙ୍କୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଦଶନ୍ଧୀରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନଙ୍କ କାର୍ଯ୍ୟ ସୁଯୋଗ ଓ କ୍ୟାରିଅର ବିକଳ୍ପ ଉପରେ ଏହାର ପ୍ରଭାବ ରହିବ। ଆଇଏଲ୍ଓର ମୁଖ୍ୟ ଗାୟ ରାଇଡର କହିଛନ୍ତି ଯେ, କରୋନା ମହାମାରୀ ଧୀରେ ଧୀରେ ଦୂରେଇ ଯାଉଥିବା ବେଳେ ଅନେକ ଯୁବକଯୁବତୀ ପଛକୁ ଠେଲି ହୋଇ ଯାଇଛନ୍ତି। ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ସେମାନଙ୍କ ଉପରେ ଏହାର ପ୍ରଭାବ ଦଶନ୍ଧୀ କିମ୍ବା ତା’ଠାରୁ ଅଧିକ ସମୟ ରହିବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ଆଇଏଲ୍ଓ ପକ୍ଷରୁ କୁହାଯାଇଛି।
କରୋନା ସଙ୍କଟ ଆରମ୍ଭ ହେବା ପୂର୍ବରୁ ସାରା ବିଶ୍ବରେ ଯୁବପିଢ଼ିଙ୍କ ମଧ୍ୟରେ ବେକାରି ହାର ୧୩.୬ ପ୍ରତିଶତ ଥିଲା। ଅନ୍ୟ କୌଣସି ବୟସ ବର୍ଗର ଲୋକ ଏତେ ଅଧିକ ବେକାର ନାହାନ୍ତି। ୨୦୧୯ ସୁଦ୍ଧା ୨୬.୭ କୋଟି ଯୁବକଯୁବତୀଙ୍କୁ କୌଣସି କମଧନ୍ଦା ଓ ଶିକ୍ଷା କିମ୍ବା ପ୍ରଶିକ୍ଷଣ ମିଳୁନଥିଲା। କରୋନା ସଙ୍କଟ ଦ୍ବାରା ୩୦.୫ କୋଟି ଚାକିରି ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ବିଶ୍ବର ବିଭିନ୍ନ ସ୍ଥାନରୁ ମିଳୁଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଆଇଏଲ୍ଓ ଜଣାଇଛି ଯେ ଯୁବପିଢ଼ି ମଧ୍ୟରେ ବେକାରି ହାର ବହୁତ ବଢ଼ିଛି। ଫେବୃୟାରୀ ପରଠାରୁ ଏହା ବଢ଼ୁଥିବା ବେଳେ ଯୁବବର୍ଗର ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଉଦାହରଣ ଦେଇ ଆଇଏଲ୍ଓ ଜଣାଇଛି ଯେ, କାନାଡାରେ ଯୁବବର୍ଗ ମଧ୍ୟରେ ବେକାରଙ୍କ ସଂଖ୍ୟା ବହୁତ ବଢ଼ିଛି। ପୁରୁଷଙ୍କ କ୍ଷେତ୍ରରେ ତାହା ୧୪.୩ ପ୍ରତିଶତ ଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୨୦.୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଆମେରିକାରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳିଛି।
ଆଇଏଲ୍ଓ ମତରେ ଯୁବପିଢ଼ିଙ୍କୁ ତିନି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ ୧୭ ପ୍ରତିଶତ କାର୍ଯ୍ୟ କରିବା ବନ୍ଦ କରିଦେଇଛନ୍ତି। ନିଯୁକ୍ତି ହରାଇଥିବା ବେଳେ ସେମାନଙ୍କ ପାଠପଢ଼ା ଓ ପ୍ରଶିକ୍ଷଣ ପ୍ରଭାବିତ ହୋଇଛି। ନିଯୁକ୍ତି ବଜାରରେ ପୁନର୍ବାର ପ୍ରବେଶ କରିବା କିମ୍ବା ଗୋଟିଏ ଚାକିରିରୁ ଅନ୍ୟ ଚାକିରିକୁ ଯିବା ଲାଗି ଯେଉଁ ସୁଯୋଗ ରହୁଥିଲା ତାହା ସମ୍ପୂର୍ଣ୍ଣ ସଙ୍କୁଚିତ ହୋଇଛି। ସର୍ଭେରେ ଭାଗ ନେଇଥିବା ୫୦ ପ୍ରତିଶତ ଯୁବକଯୁବତୀ କହିଛନ୍ତି ଯେ ସେମାନଙ୍କ ପାଠପଢ଼ା ବିଳମ୍ବ ହେବ। ୧୦% ଉତ୍ତର ଦେଇଛନ୍ତି ଯେ ସେମାନେ ଭବିଷ୍ୟତରେ ପ୍ରଶିକ୍ଷଣ ଶେଷ କରିପାରିବେ ନାହିଁ। ଯୁବବର୍ଗ ପାଇଁ ତୁରନ୍ତ ନିଯୁକ୍ତି ଓ ପ୍ରଶିକ୍ଷଣ ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି ବୋଲି ଆଇଏଲ୍ଓର ମୁଖ୍ୟ ଶ୍ରୀ ରାଇଡର୍ କହିଛନ୍ତି।