Odisha Link
Bridging the Missing Links in Odisha

କଟକ: କରୋନା ପାଇଁ ଦେବୀ ମନ୍ଦିରରେ ଭକ୍ତଙ୍କ ମୁଣ୍ଡ କାଟିଦେଲେ ପୂଜକ

ଭୁବନେଶ୍ବର: କରୋନା ଭୂତାଣୁ ଜନିତ ସଂକ୍ରମଣରେ ସାରା ବିଶ୍ବ ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ କଟକ ଜିଲ୍ଲା ନରସିଂହପୁରରେ ଏକ ବିଭତ୍ସ କାଣ୍ଡ ଦେଖିବାକୁ ମିଳିଛି। କରୋନା ଭୂତାଣୁକୁ ତଡ଼ିବା ପାଇଁ ଅନ୍ଧବିଶ୍ବାସର ବଶବର୍ତ୍ତୀ ଜଣେ ପୂଜକ ଦେବୀ ମନ୍ଦିରରେ ଭକ୍ତଙ୍କୁ ବଳି ଚଢ଼ାଇଛନ୍ତି। ଏ ଘଟଣାରେ ଅଭିଯୁକ୍ତ ୭୦ ବର୍ଷୀୟ ପୂଜକ ସଂସାରୀ ଓଝାଙ୍କୁ ଗିରଫ କରିଛି ପୁଲିସ।

ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ପୁଲିସ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ଥାନା ବନ୍ଧହୁଡ଼ା ଗାଁରେ। ସେହି ଗାଁର ସରୋଜ କୁମାର ପ୍ରଧାନ (୫୫) ବ୍ରାହ୍ମଣୀ ଦେବୀ ମନ୍ଦିରକୁ ଗତକାଲି ପୂଜା କରିବାକୁ ଆସିଥିଲେ। ସରୋଜ ଦେବୀଙ୍କ ଆଗରେ ମୁଣ୍ଡିଆ ମାରୁଥିବା ବେଳେ ଏକ ଧାରୁଆ କାତିରେ ତାଙ୍କ ବେକ କାଟି ବଳି ଦେଇଥିଲେ ସଂସାରୀ। ସରୋଜଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସାରୀ ପରେ ପୁଲିସ ପାଖରେ ଆତ୍ମ ସମର୍ପଣ କରି ଦୋଷ ସ୍ବୀକାର କରିଥିଲା ବୋଲି ଆଠଗଡ଼ ଏସ୍‌ଡିପିଓ ଆଲୋକ ରଂଜନ ରାୟ ଗଣମାଧ୍ୟମକୁ କହିଛନ୍ତି। ଦେବୀଙ୍କ ପାଖରେ ବଳି ପକାଇଲେ ରାଜ୍ୟରୁ କରୋନା ରୋଗ ଦୂରହେବ ବୋଲି ତାଙ୍କୁ ସ୍ବାପ୍ନାଦେଶ ହୋଇଥିବା ସଫେଇ ଦେଇଛନ୍ତି ସଂସାରୀ।

ତେବେ ହତ୍ୟାକାରୀ ପୂଜକ ଓ ମୃତକ ସରୋଜଙ୍କ ମଧ୍ୟରେ ଦୀର୍ଘଦିନ ଧରି ଏକ ଆମ୍ବ ବଗିଚାକୁ ନେଇ ଜମିଜମା ବିବାଦ ଲାଗି ରହିଥିଲା ବୋଲି ପୁଲିସ ତଦନ୍ତରୁ ଜାଣବାକୁ ପାଇଛି। ହତ୍ୟାରେ ବ୍ୟବହୃତ କାତିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ।

Comments are closed.