Odisha Link
Bridging the Missing Links in Odisha

‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତ: ଓଡ଼ିଶା ସରକାର

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ରାଜ୍ୟସଂଗୀତ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ସରକାର। କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଶା ଓ ଓଡ଼ିଶା ବାହାରେ ରହୁଥିବା ସବୁ ଓଡ଼ିଆ ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଅନୁରୋଧ କରିଥିଲେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହାକୁ ରାଜ୍ୟସଂଗୀତ ବୋଲି ଉଲ୍ଲେଖ କରାଯାଇଛି।

ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଦସ୍ତଖତରେ ଆସିଥିବା ଇଂରାଜୀ ଭାଷାରେ ଲିଖିତ ଏ ସରକାରୀ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାବଦରେ ଉଲ୍ଲେଖ ରହିଛି। ମୁଖ୍ୟ ସଚିବ ଏଥିରେ ଉଲ୍ଲେଖ କରିଛନ୍ତି ଯେ “କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଦେଇ ସେମାନଙ୍କ ପ୍ରଶାଂସାରେ ଓଡ଼ିଶା ତଥା ଓଡ଼ିଶା ଓ ଦେଶ ବାହାରେ ରହୁଥିବା ଓଡ଼ିଆମାନେ ୩୦ ମେ’ ୨୦୨୦ ସଂଧ୍ୟା ୫ଟାରେ ରାଜ୍ୟ ସଂଗୀତ (State Anthem) ‘ବନ୍ଦେ ଉତ୍କଳ ଜନନୀ’କୁ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।”

ବନ୍ଦେ ଉତ୍କଳ ଜନନୀର ଏକ ସରକାରୀ ମାନକ ପ୍ରତିରୂପ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିବା ପାଇଁ ଏହି ବିଜ୍ଞପ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗକୁ କହିଛନ୍ତି ମୁଖ୍ୟ ଚସିବ। ପଞ୍ଚାୟତିରାଜ କର୍ମୀଙ୍କ ଦ୍ବାରା ଜନସାଧାରଣଙ୍କୁ ସମ୍ମାନଜନକ ଭାବେ ଉଚିତ ଓ ଯଥାର୍ଥ ବାଗରେ ଗାୟନ କରିବା ଲାଗି ଏକାଠି କରିବା ଲାଗି ପଞ୍ଚାୟତିରାଜ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମସ୍ତ ସରକାରୀ କାଯ୍ୟାଳୟକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପାଳନ ପାଇଁ ନିର୍ଦ୍ଦେଶ ଦେବା ସହ ବିଧାନ ସଭା, ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ, ରାଜୀବ ଭବନ, ପୁଲିସ ମୁଖ୍ୟାଳୟ, ପୁଲିସ କମିଶନର କାର୍ଯ୍ୟାଳୟ, ଜିଲ୍ଲାପାଳମାନଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ କାର୍ଯ୍ୟାଳୟ ଆଦିରେ କର୍ମଚାରୀମାନେ ରାଜ୍ୟ ସଂଗୀତ ଗାନରେ ନିଶତଚିତ ରୂପେ ଭାଗନେବାକୁ କହାଯାଇଛି।

ସର୍ବସାଧାରଣ ସ୍ଥାନରେ ଗୌରବ ଓ ପ୍ରତିବଦ୍ଧତା ପ୍ରଦର୍ଶନ ପାଇଁ ପୁଲିସ ବ୍ୟାଣ୍ଡ କାର୍ଯ୍ୟକ୍ରମ ରଖିବା ପାଇଁ ଏହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ସଂଧ୍ୟା ୫ଟା ୩୦ରେ ରାଜ୍ୟରେ ଯଥାସମ୍ଭବ ଯାନବାହାନ ଚଳାଚଳ ସ୍ଥଗିତ ରଖିବା ପାଇଁ ବିମାନ, ରେଳ ଓ ସଡ଼କ କର୍ତୃପକ୍ଷଙ୍କ ସହ ସମନ୍ବୟ ରଖିବା ପାଇଁ ସଡ଼କ ଓ ପରିବହନ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟସଚିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମରେ ନିଶ୍ଚୟ ଭାଗନେବାକୁ ଜଣାଇବା ପାଇଁ କହାଯାଇଛି। ଅନୁରୂପ ଭାବେ ଜଣାଶୁଣା କ୍ରୀଡ଼ାବିତଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଯୋଗାଯୋଗ କରିବାକୁ କ୍ରୀଡ଼ା ଓ ଯୁବସେବା ବିଭାଗକୁ କହାଯାଇଛି।

ରାଜ୍ୟ ସଂଗୀତ ଶୁଣିବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ (official version of Odisha State Anthem)

Comments are closed.