କରୋନା: ଦିନକରେ ୧୧ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଜୀବନ ଓ ଜୀବିକାକୁ ନଜରରେ ରଖି ସାରା ଦେଶରେ ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ କଟକଣାକୁ କୋହଳ କରାଯାଉଛି। ହେଲେ ମହାମାରୀ କରୋନା ଭାଇରସ୍ ଭାରତରେ ଦିନକୁ ଦିନ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। ବିଗତ କିଛି ଦିନ ହେବ ଦେଶରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ଆଜି ସକାଳ ୮ଟା ସୁଦ୍ଧା ୩ ଲକ୍ଷ ୦୮ ହଜାର ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୧୧,୪୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩୮୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୭,୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ଟା ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୯୯୩ରେ ପହଁଞ୍ଚିଛି। ସେମଧ୍ୟରୁ ୮୮୮୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ୧,୪୫,୭୭୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷେ ଏପର୍ଯ୍ୟନ୍ତ ୧,୫୪,୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସବୁଠୁ ବଡ଼କଥା ହେଲା ବର୍ତ୍ତମାନ ଦେଶରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ଠୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଯାହା ଦେଶବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଗତ କିଛି ଦିନ ହେବ ମୃତକଙ୍କ ସଂଖ୍ୟା ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।