Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା ଦେବନି: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ‘ଆମେ ଯଦି ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଉ, ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେନାହିଁ।’ ରଥଯାତ୍ରା ପ୍ରସଙ୍ଗରେ ଶୁଣାଣି ବେଳେ ଏ କଥା କହିଛନ୍ତି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ। ବିଚାରପତି ବୋବ୍‌ଡେଙ୍କ ନେତୃତ୍ବରେ ଏକ ତିନିଜଣିଆ ଖଣ୍ଡପୀଠ ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଆଉ ମାତ୍ର ୫ ଦିନ ପରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏ ବର୍ଷ ହେବନାହିଁ ବୋଲି ରାୟରେ କହାଯାଇଛି।

ରଥଯାତ୍ରା ପାଇଁ ରଥନିର୍ମାଣ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଆଜି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌ କୋର୍ଟ। ରଥଯାତ୍ରାର ସମସ୍ତ ପାରମ୍ପରିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ଜୁନ୍‌ ୨୩ ତାରିଖରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ କରୋନା କଟକଣା ସମୟରେ ଲୋକଙ୍କ ସୁରକ୍ଷା ଲାଗି ବନ୍ଦ କରାଯାଇଛି ବୋଲି ରାୟରେ କହିଛନ୍ତି ସୁପ୍ରିମ୍‌ କୋର୍ଟ।

ଓଡ଼ିଶା ବିକାଶ ପରିଷଦ ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ ରଥଯାତ୍ରା ବନ୍ଦ କରି ପାଇଁ ସୁପ୍ରିମ୍‌ କୋର୍ଟ‌ରେ ଆବେଦନ କରିଥିଲେ। ଏହା ଉପରେ ବିଚାର କରି କୋର୍ଟ ରାୟ ଦେଇଛନ୍ତି। ସାଧାରଣତଃ ରଥଯାତ୍ରା ସମୟରେ ୧୦ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ରଥକୁ ଯନ୍ତ୍ର ଅଥବା ହାତୀ ଦ୍ବାରା ଟାଣିବା ନେଇ ଓଡ଼ିଶା ସରକାର ବିଚାର ବିମର୍ଶ କରୁଥିବା ବେଳେ ଏ ରାୟ ସବୁ ପ୍ରସ୍ତୁତିରେ ପୂର୍ଣ୍ଣଚ୍ଛେଦ ଟାଣିଛି।

ଜନସ୍ବାସ୍ଥ୍ୟ ଓ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରାଯିବ ବୋଲି ରାୟରେ କହାଯାଇଛି। ଅନ୍ୟପଟେ ଏ ମାମଲାରେ ଲଢ଼ିବା ପାଇଁ ଓଡ଼ିଶା ପକ୍ଷରୁ ଆଇନଜୀବୀ ହରୀଶ୍‌ ସାଲ୍‌ଭେଙ୍କୁ ଦାୟିତ୍ବ ଦିଆଯାଇଥିଲା। ତେବେ ବିଚାର ବେଳେ ଆଇନଜୀବୀ ଚୁପ୍‌ ରହିଥିବା ଓ ନିଜର ପକ୍ଷ ରଖି ନଥିବା ଅଭିଯୋଗ ଉଠିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ନେଇ କୌଣସି ତଥ୍ୟ ରଖାଯାଇ ନଥିଲା ବୋଲି ଅଭିଯୋଗ ଉଠିଛି।

Comments are closed.