Odisha Link
Bridging the Missing Links in Odisha

ଏଥର ହେବନାହିଁ ରଥଯାତ୍ରା: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରଥଯାତ୍ରା ପାଇଁ ରଥନିର୍ମାଣ ଓ ଅନ୍ୟାନ୍ୟ ପ୍ରସ୍ତୁତି ଆଗେଇ ଚାଲିଥିବା ବେଳେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌ କୋର୍ଟ। ରଥଯାତ୍ରାର ସମସ୍ତ ପାରମ୍ପରିକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମାତ୍ର ୫ ଦିନ ଆଗରୁ ଏ ଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଆସିଛି। ଏ ବର୍ଷ ରଥଯାତ୍ରା ହେବନାହିଁ ବୋଲି ଆଜି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଚଳିତ ବର୍ଷ ଜୁନ୍‌ ୨୩ ତାରିଖରେ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ କରୋନା କଟକଣା ପାଇଁ ଲୋକଙ୍କ ସୁରକ୍ଷା ଲାଗି ବନ୍ଦ କରାଯାଇଛି ବୋଲି ରାୟରେ କହାଯାଇଛି।

ଓଡ଼ିଶା ବିକାଶ ପରିଷଦ ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ ରଥଯାତ୍ରା ବନ୍ଦ କରି ପାଇଁ ସୁପ୍ରିମ୍‌ କୋର୍ଟ‌ରେ ଆବେଦନ କରିଥିଲେ। ଏହା ଉପରେ ବିଚାର କରି କୋର୍ଟ ରାୟ ଦେଇଛନ୍ତି। ସାଧାରଣତଃ ରଥଯାତ୍ରା ସମୟରେ ୧୦ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ରଥକୁ ଯନ୍ତ୍ର ଅଥବା ହାତୀ ଦ୍ବାରା ଟାଣିବା ନେଇ ଓଡ଼ିଶା ସରକାର ବିଚାର ବିମର୍ଶ କରୁଥିବା ବେଳେ ଏ ରାୟ ସବୁ ପ୍ରସ୍ତୁତିରେ ପୂର୍ଣ୍ଣଚ୍ଛେଦ ଟାଣିଛି।

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନେତୃତ୍ବରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ଜନସ୍ବାସ୍ଥ୍ୟ ଓ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ବନ୍ଦ କରାଯିବ ବୋଲି ରାୟରେ କହାଯାଇଛି। ଅନ୍ୟପଟେ ଏ ମାମଲାରେ ଲଢ଼ିବା ପାଇଁ ଓଡ଼ିଶା ପକ୍ଷରୁ ଆଇନଜୀବୀ ହରୀଶ୍‌ ସାଲ୍‌ଭେଙ୍କୁ ଦାୟିତ୍ବ ଦିଆଯାଇଥିଲା। ତେବେ ବିଚାର ବେଳେ ଆଇନଜୀବୀ ଚୁପ୍‌ ରହିଥିବା ଓ ନିଜର ପକ୍ଷ ରଖି ନଥିବା ଅଭିଯୋଗ ଉଠିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ନେଇ କୌଣସି ତଥ୍ୟ ରଖାଯାଇ ନଥିଲା ବୋଲି ଅଭିଯୋଗ ଉଠିଛି।

Comments are closed.