Odisha Link
Bridging the Missing Links in Odisha

ଯବାନଙ୍କ ବଳିଦାନ ବୃଥା ଯିବନି: ଭଦୌରିଆ

ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି। କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଚୀନକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ। ଶନିବାର ହାଇଦ୍ରାବାଦଠାରେ ଅନୁଷ୍ଠିତ ବାୟୁସେନାର ପାସିଂ ଆଉଟ୍‌ ପରେଡ୍‌ରେ ଭଦୌରିଆ ଯୋଗଦେଇ ଏହା କହିଛନ୍ତି। ଏହି ଅବସରରେ ବାୟୁସେନାରେ ୧୨୩ ନୂଆ ଅଧିକାରୀ ଯୋଗଦେଇଛନ୍ତି, ଯେଉଁଥିରେ ୧୯ ଜଣ ମହିଳା ଅଧିକାରୀ ରହିଛନ୍ତି।

ଏକାଡେମୀ ଫର କମ୍ପାଇନ୍‌ଡ ଗ୍ରାଜୁଏଶନ ପରେଡ୍‌ରେ ଏୟାର ଚିଫ୍‌ ମାର୍ଶଲ ଭଦୌରିଆ କହିଥିଲେ, ଯେକୌଣସି ମୂଲ୍ୟରେ ଆମେ ଆମ ସର୍ବଭୌମତର ରକ୍ଷା କରିବୁ। ଆମ ଅଞ୍ଚଳର ସୁରକ୍ଷା ଦୃଷ୍ଟିକୋଣରୁ ଆମ ସଶସ୍ତ୍ର ବାହିନୀ ସବୁବେଳେ ପ୍ରସ୍ତୁତ ଏବଂ ସତର୍କ ରହିଛନ୍ତି। ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଆମେ ପ୍ରସ୍ତୁତ ବୋଲି ଭଦୌରିଆ କହିଛନ୍ତି।

ଯବାନମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଏହା ସ୍ପଷ୍ଟ ହେବା ଉଚିତ ଯେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ଭଲ ଭାବରେ ପ୍ରସ୍ତୁତ ଏବଂ ସଠିକ୍ ସ୍ଥିତିରେ ଅଛୁ। ମୁଁ ଦେଶକୁ ବିଶ୍ଵାସ ଦେଉଛି ଯେ ଆମେ ପରିସ୍ଥିତିର ମୁକାବିଲା କରିବାକୁ ସଂକଳ୍ପବଦ୍ଧ ଏବଂ ଗଲୱାନ ଉପତ୍ୟକାରେ ଯବାନଙ୍କ ବଳିଦାନକୁ କେବେ ବି ବ୍ୟର୍ଥ ହେବାକୁ ଦେବୁ ନାହିଁ। ଚୀନ ସହିତ ଆମର ଯୁଦ୍ଧ ହେଉନାହିଁ, କିନ୍ତୁ ଆମେ ପ୍ରସ୍ତୁତ ରହିଛୁ।

Comments are closed.