Odisha Link
Bridging the Missing Links in Odisha

୨୬/ ୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଆମେରିକାରେ ଗିରଫ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି। ଆମେରିକା ପୁଲିସ ଲସ୍‌ ଏଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି। ସେ ଦୁଇଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା। କିନ୍ତୁ ତହବ୍ବୁରକୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିଆସୁଥିବାରୁ ପୁଲିସ ତା’କୁ ପୁଣି ଥରେ ଗିରଫ କରିଛି। ହୁସେନ୍ ୨ ଦିନ ପୂର୍ବରୁ ଆମେରିକା ଜେଲରୁ ମୁକୁଳିଥିଲେ ହେଁ ଅଥୋରିଟି ପୁଣିଥରେ ଆତଙ୍କୀକୁ ଗିରଫ କରିଛି ।

ତହବ୍ବୁର ହୁସେନ ପାକିସ୍ତାନର ଆମେରିକୀୟ ଆତଙ୍କବାଦୀ ଡେଭିଡ୍‌ ହେଡ୍‌ଲୀର ସହଯୋଗୀ। ସେ ୨୬/୧୧ ଆକ୍ରମଣ ଷଡ଼ଯନ୍ତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲା। ସୂଚନା ଅନୁସାରେ, ତହବ୍ବୁର ଆମେରିକାର ଏକ କୋର୍ଟରେ ପିଟିଶନ ଦାଖଲ କରି ସେ କରୋନାରେ ଆକ୍ରାନ୍ତ ଥିବା ଦର୍ଶାଇଥିଲା। ଏହା ପରେ ତା’କୁ ଜେଲ୍‌ରୁ ମୁକୁଳାଇ ଦିଆଯାଇଥିଲା। ଏହା ପରେ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଭାରତ ପକ୍ଷରୁ ତହୱୁର ବିରୋଧରେ ରହିଥିବା ଅଭିଯୋଗ ଆଧାରରେ ତା’କୁ ଗିରଫ କରିଛି।

ତହୱୁରକୁ ୨୦୧୧ ଜୁନ ୧୦ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଡେନମାର୍କର ଏକ ଖବରକାଗଜ ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ଏବଂ ଲଶ୍କର-ଏ-ତଇବାକୁ ସହାୟତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରଯାଇଥିଲା। ବିଗତ ୧୦ ବର୍ଷ ହେଲା ତା’କୁ ଆମେରିକାର ଜେଲରେ ରଖାଯାଇଥିଲା। ସୂଚନାଯୋଗ୍ୟ, ମୁମ୍ବଇ ଆକ୍ରମଣ ଘଟଣାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅନେକ ବିଦେଶୀ ନାଗରିକ ବି ସାମିଲ ଥିଲେ। ଲଶ୍କର ଆତଙ୍କବାଦୀ ସଂଗଠନର ୧୦ ଆତଙ୍କୀ ଏହି ଆକ୍ରମଣ କରିଥିଲେ।

Comments are closed.