Odisha Link
Bridging the Missing Links in Odisha

ଆଜି ବାହୁଡ଼ା ଯାତ୍ରା: ବାହୁଡ଼ିବେ ଶ୍ରୀଜିଉ, ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ପବିତ୍ର ବାହାୁଡ଼ା ଯାତ୍ରା। ଆଜି ମାଉସୀ ଘରୁ ବଡ଼ ଦେଉଳକୁ ବାହୁଡ଼ିବେ ଶ୍ରୀଜିଉ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯିବେ ବଡ଼ ଦେଉଳକୁ। ନୀତି ନିଘଣ‌୍ଟ ଅନୁସାରେ, ଆଜି ବାହୁଡା ଯାତ୍ରାର ସମସ୍ତ ନୀତି କାନ୍ତି ଚାଲିଛି। ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି।

ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପରେ ପରେ ଆରମ୍ଭ ହୋଇଥିଲା ବଡଭାଇ ତଥା ବଡଠାକୁର ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡି। ଏହା ପରେ ଧାଡି ପହଣ୍ଡିରେ ଗୁଣ୍ଡିଚା ଘରୁ ରଥ ଅଭିମୁଖେ ବାହାରିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା। ଏବଂ ପାରମ୍ପରିକ ଭାବେ ସବା ଶେଷରେ ହୋଇଥିବା ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ନୀତି।

ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ଏବେ ରଥାରୁଢ ହୋଇଛନ୍ତି ଚତୂର୍ଦ୍ଧାମୂର୍ତ୍ତି। ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା। ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର। ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି। ଏହା ପରେ ରଥାରୁଢ ଶ୍ରୀବିଗ୍ରହଙ୍କ ଆରମ୍ଭ ହେବ ଛେରାପହଁରା ନୀତି।

Comments are closed.