Odisha Link
Bridging the Missing Links in Odisha

ଆଜି ନୀଳାଦ୍ରି ବିଜେ: ରତ୍ନବେଦୀକୁ ବିଜେ କରିବେ ଶ୍ରୀଜିଉ

ପୁରୀ: ପାଖାପାଖୀ ଏକ ମାସର ବ୍ୟବଧାନ ପରେ ଆଜି ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପବିତ୍ର ରଥଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ ହେବା ପରେ ଶନିବାର ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥରୁ ଶ୍ରୀମନ୍ଦିରର ରତ୍ନବେଦୀକୁ ବିଜେ କରିବେ।

ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ। ରଥଉପରେ ଠାକୁରଙ୍କୁ ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧାଯିବ। ପାଳିଆ ସେବକ ସିଂହାସନ ମାଜଣା କରିବେ। ଏହାପରେ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରି ବିଜେ। ଅପରାହ୍ଣ ୪ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ। ଏହାପରେ ରତ୍ନସିଂହାସନରେ ଦଇତାପତି ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହେବ। ଚାରମାଳ ଫିଟାଯିବା ପରେ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ। ଚକାପୋଛା କରାଯିବା ସହ ସିଂହାସନ ଧୁଆଯିବ।

ଏହାପରେ ଶ୍ରୀମାଧବ, ଶ୍ରୀଦେବୀ ଏବଂ ଭୂଦେବୀ ସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯାଇ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବ। ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଲକ୍ଷ୍ମୀନାରାୟଣ କଳି ହେବା ପରମ୍ପରା ରହିଛି। କାଳିଆ ଠାକୁର ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ। ସୂଚନାଥାଉକି, ରବିବାର(ଆସନ୍ତାକାଲି)ଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ଉପଲବ୍ଧ ହେବ।

Comments are closed.