Odisha Link
Bridging the Missing Links in Odisha

ମହାମାରୀ ସମୟରେ ବେଲଗାମ ବଜାର

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ପଟେ କ୍ରମାଗତ ଭାବେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ଦିନକୁ ଦିନ ବେଲଗାମ ହେଉଛି ପରିବା ଦର। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି।

ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ପନିପରିବା ଆଉ ତେଜରାତି ସାମଗ୍ରୀ ଦର। ବଜାରରେ ବର୍ତ୍ତମାନ ଖାଇବାତେଲ, ଡାଲି, ଚିନି ଓ ଅଟା ଦର ବଢିଥିବାବେଳେ ସାବୁନ୍‌ ଏବଂ ବିସ୍କୁଟ୍‌ ଯୋଗାଣ କମୁଛି। ଏଥିରେ ଅତିଷ୍ଠ ହେବାରେ ଲାଗିଲେଣି ଖାଉଟି। କେଉଁଠି ଯୋଗାଣ ସମସ୍ୟା ଉପୁଜିଲାଣି ତ, କେଉଁଠାରେ ପିଡିଏସ୍‌ ସାମଗ୍ରୀ ଲୋକଙ୍କୁ ନ ଦିଆଯାଇ ହରିଲୁଟ୍‌ କରାଯାଉଛି। ପୁଣି ଆଉ କେଉଁଠି ମୁନାଫାକାରୀ ଚଢ଼ା ଦରରେ ଜିନିଷ ବିକି ଖାଉଟିଙ୍କୁ ଶୋଷଣ କଲେଣି। ସତେ ଯେମିତି ଲାଗୁଛି ଯୋଗାଣ ବିଭାଗ ଏସବୁ ​‌ବେଆଇନ କାର୍ଯ୍ୟ ପ୍ରତି ​‌କୋହଳ ମନୋଭାବ ଆପଣାଇଛି। ହେଲେ ଏସବୁ ପ୍ରତି ଏବେ ଯୋଗାଣ ବିଭାଗର ନିଘା ନାହିଁ। କାରଣ ଏ ସମସ୍ୟା ଦେଖିବାକୁ ​‌ଯୋଗାଣ ବିଭାଗରେ ଅଧିକାରୀଙ୍କ ଅଭାବ। ବିଭାଗର ମାର୍କେଟ୍‌ ଇ‌େଣ୍ଟଲିଜେନ୍ସ ୟୁନିଟ୍‌ରେ ବହୁ ଅଧିକାରୀ ପଦ ଖାଲିପଡିବା ରାଜ୍ୟ​‌ରେ ଯୋଗାଣ ବିଭାଗର କାର୍ଯ୍ୟଶୈଳୀକୁ ପଦାରେ ପକାଇ ​‌ଦେଇଛି।

ବର୍ତ୍ତମାନ ବଜାରରେ ରିଫାଇନ୍‌ଡ ହେଉ କି ସୂର୍ଯ୍ୟମୁଖୀ କିମ୍ବା ସୋରିଷତେଲ ସବୁର ମୂଲ୍ୟରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ହରଡ ଡାଲି କିଲୋ ପିଛା ୮୪ରୁ-୯୦ ଟଙ୍କା ଏବଂ ବୁଟ ଡାଲି କିଲୋ ୫ଟଙ୍କା ବଢି ୬୫ରୁ ୭୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିଭଳି ମସୁର ଡାଲି କିଲୋ ପିଛା ୫ ଟଙ୍କା ବଢ଼ି ୭୫ ଟଙ୍କା ହୋଇଛି। ଚୁଡା ଏବଂ ମଇଦା ଉଭୟ କିଲୋ ପିଛା ୨ ଟଙ୍କା ବୃଦ୍ଧି ହୋଇଛି। ଏହାର ଫାଇଦା ନେଇ କେତେକ ବ୍ୟବସାୟୀ, କିଲୋ ପିଛା ୧୦ ଟଙ୍କା ବଢ଼ିଥିଲେ ଖାଉଟିଙ୍କଠାରୁ ୧୨-୧୫ ଟଙ୍କା ନେଉଛନ୍ତି।

ସେହିଭଳି ଆଳୁ ଓ ପିଆଜ ଭଳି ପନିପରିବା କ୍ଷେତ୍ରରେ ସମାନ ସ୍ଥିତି। କୁଇଣ୍ଟାଲ ପିଛା ଆଳୁ ଓ ପିଆଜ ୧୦୦ ଟଙ୍କା ବଢ଼ିଲେ ​‌କେ​‌ତେକ ଖୁଚୁରା ବିକ୍ରେତା ଖାଉଟିଙ୍କଠାରୁ କିଲୋ ପିଛା ୫ ଟଙ୍କା ଯାଏ ନେଉଛନ୍ତି। ଅନେକ ଯୋଗାଣ କମୁଥିବା ନାମରେ ସାମଗ୍ରୀ ମହଜୁଦ କରି ଦର ବଢ଼ାଇବାରେ ଲାଗିଛନ୍ତି। ବଜାରରେ ସାମଗ୍ରୀ ମୂଲ୍ୟରେ ଏଭଳି ବୃଦ୍ଧି ଏବେ ଖାଉଟିଙ୍କ ନିଦ ହଜାଇ ଦେଇଛି।