Odisha Link
Bridging the Missing Links in Odisha

ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହନ୍ତି: ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନୂଆ ମାନଚିତ୍ରକୁ ନେଇ ଚର୍ଚ୍ଚାରେ ଥିବା ଓଲି ଏବେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାରେ। ଗତକାଲି ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳର ବୋଲି କହିଥିଲେ ଓଲି। ଏଥିସହିତ ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁ‌ହଁନ୍ତି, ନେପାଳର ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି।

ନେପାଳୀ କବି ତଥା ଅନୁବାଦକ ଭାନୁଭକ୍ତ ଆଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ଶ୍ରୀ ଓଲି କହିଛନ୍ତି ଯେ ହିନ୍ଦୁ ଦେବତା ଭଗବାନ ରାମ ଭାରତୀୟ ନୁହନ୍ତି କିମ୍ବା ଅଯୋଧ୍ୟା ଭାରତରେ ନାହିଁ । ପ୍ରଭୁ ଶ୍ରୀରାମ ନେପାଳର ଅଯୋଧ୍ୟା ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି ଓ ଦାବି ଅନୁସାରେ ଭାରତର ଅଯୋଧ୍ୟାରେ ନୁହେଁ । ସେ କହିଛନ୍ତି ଯେ ଆମକ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟାଚାର କରାଯାଇଛି । ତଥ୍ୟକୁ ବିଭ୍ରାନ୍ତ କରାଯାଉଛି । ତଥାପି ଆମେ ବିଶ୍ବ ଭାତୃତ୍ବବୋଧରେ ବିଶ୍ବାସ କରୁ ଓ ସୀତାଙ୍କୁ ରାଜକୁମାର ରାମଙ୍କୁ ଦେଇଥିଲୁ। ଭାରତ ନୁହେଁ ଅଯୋଧ୍ୟା ରାଜକୁମାର ରାମ ଭାରତର ନୁହନ୍ତି ନେପାଳର ବୋଲି କହିଛନ୍ତି ଶ୍ରୀ ଓଲି।

ଅଯୋଧ୍ୟା ଓ ପ୍ରଭୁ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଟୁଇଟରେ ଟ୍ରୋଲର ଶିକାର ହୋଇଛନ୍ତି ନେପାଳର ପ୍ରଧାନମନ୍ତ୍ରୀ। ସୂଚନାଥାଉକି, ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନେପାଳ ନିଜର ମାନଚିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା। ନେପାଳ ଜାରି କରିଥିବା ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଞ୍ଜୁର କରିଥିଲା। ଭାରତର ଏହି ୩ଟି ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ଅଯୋଧ୍ୟା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କର ବୋଲି କହି ପ୍ରଧାନମନ୍ତ୍ରୀ ଓଲି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେହିଭଳି ଗତ ସପ୍ତାହରେ ନେପାଳ ସରକାର କେବଳ ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିଦେଇଛନ୍ତି। ଏହା ଫଳରେ ନେପାଳ ଓ ଭାରତ ମଧ୍ୟରେ ସର୍ମ୍ପକ ତିକ୍ତ ହେବାରେ ଲାଗିଛି। ଏବଂ ପ୍ରଧାନମନ୍ତ୍ରୀଙ୍କ ପଦ ସଙ୍କଟରେ ରହିଛି।

Comments are closed.